ସମ୍ବଲପୁର: ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଦୁଲୁକୁଛି ସମ୍ବଲପୁର । ମହାଦେବ ଓ ପାର୍ବତୀଙ୍କ ବିବାହ ପରେ ଅନୁଷ୍ଠିତ ହୋଇଛି ଯୁଗଳ ମୂର୍ତ୍ତି ଶୋଭାଯାତ୍ରା l ଗତ ଗୁରୁବାର ରାତି 12 ଟାରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରି ଥିବା ବେଳେ ଆଜି ସକାଳ 5ଟା ପର୍ଯ୍ୟନ୍ତ ଚାଲିଥିଲା l ଏହା ପରେ ପୁଣି ଦିନ 10 ଟାରୁ ଆରମ୍ଭ ହୋଇଥିଲା ଶୋଭାଯାତ୍ରା l ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।
ଗତ ଗୁରୁବାର ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଗତ ବିଳମ୍ବିତ ରାତି ପ୍ରାୟ 11ଟାରେ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଦେବ ଦମ୍ପତିଙ୍କ ମହା ଆଳତୀ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଇଂ. ରୋହିତ ପୂଜାରୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ସହ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ l ଏହାପରେ ରାତି ପ୍ରାୟ 12ଟାରୁ ଆରମ୍ଭ ହୋଇଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା l ଯୁଗଳ ମୂର୍ତ୍ତି ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି l ଏହି ବିଶ୍ୱାସ ଆଜି ସମ୍ବଲପୁରକୁ ହଜାର ହଜାର ଭକ୍ତଙ୍କୁ ଟାଣି ଆଣିଥିଲା l ସମ୍ବଲପୁରର ଗୋଲ ବଜାରରେ 3ଟି ଯାତ୍ରା କମିଟି ପକ୍ଷରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦିନ 10ରୁ ସନ୍ଧ୍ୟା ୫ଟା ଯାଏ ସହର ପରିକ୍ରମା କରାଯାଇଥିଲା । ଏହି ସମୟରେ ପ୍ରାୟ 10 ହଜାରରୁ ଊର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା l ତାପମାତ୍ରା 40ରୁ ଅଧିକ ଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ କମିନଥିଲା l ଓଭର ବ୍ରିଜ ଉପରୁ ଅଗ୍ନିଶମ ବାହିନୀ ପକ୍ଷରୁ ଶୀତଳ ଜଳ ସିଞ୍ଚନ କରାଯାଇଥିଲା l