ସମ୍ବଲପୁର: କୋରୋନା ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ । ଗତବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର 5ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରିବାକୁ ଯାଉଛନ୍ତି । ଆଉ 5ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା । ପ୍ରାକୃତିକ ପରିବେଶରେ ଭରପୁର ସମ୍ବଲପୁରରେ ଏଥର ପର୍ଯ୍ୟଟକ ଉଠାଇବେ ଇକୋ ରିଟ୍ରିଟର ମଜା ।
ସାଧାରଣତଃ ବର୍ଷତମାମ ହୀରାକୁଦ ଡ୍ୟାମକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟେ ପର୍ଯ୍ୟଟକ ସୁଅ । ଆଉ ଶୀତ ଋତୁ ଆସିଗଲେ ପର୍ଯ୍ୟଟକଙ୍କ ଲାଗେ ଅସମ୍ଭାଳ ଭିଡ । ହେଲେ ଏଥର ସବୁ ଖୁସିରେ ଯେମିତି ଗ୍ରହଣ ଲଗାଇ ଦେଇଛି କୋରୋନା ମହାମାରୀ । ଦୀର୍ଘ 7 ମାସ ଧରି ଲକଡାଉନ ସଟଡାଉନରେ ପେଶି ହୋଇଯାଇଥିଲେ ଲୋକେ । ଘରୁ ବାହାରିବା ଯେତେବେଳେ ବିପଦ ରହିଛି ବୁଲିବା କଥା ଭାବିବ ବା କିଏ ? ରାଜସ୍ବ ବୃଦ୍ଧି, ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀ ପ୍ରତି ଆକୃଷ୍ଟ କରିବାକୁ ସରକାର ଇକୋ ରିଟ୍ରିଟର ଆୟୋଜନ କରୁଛନ୍ତି ।
କୋଣାର୍କ ଭଳି ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର କଡରେ ଥିବା ଜମାଦାର ପାଲି ଅଞ୍ଚଳରେ ଆୟୋଜିତ ହେବାକୁ ଯାଉଛି ଇକୋ ରିଟ୍ରିଟ । ନୀଳ ଗଭୀର ଜଳରାଶି, ସବୁଜ ବନାନୀରେ ଭରପୂର ଜଙ୍ଗଲ ଆଉ ପ୍ରାକୃତିକ ପରିବେଶକୁ ଅତି ନିକଟରୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଚଳିତ ଥର ପ୍ରଥମଥର ପାଇଁ ସମ୍ବଲପୁରରେ ଏପରି ଫେଷ୍ଟିଭାଲର ଆୟୋଜନ ହେଉଥିବାରୁ ସଜେଇ ହେଲାଣି ସମଗ୍ର ସହର ।