ସମ୍ବଲପୁର: ସହରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ । କର୍ଫ୍ୟୁ ହଟିବା ନେଇ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ବେଳେ ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାର ସମୀକ୍ଷା କରି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଜିଡି ସୁନୀଲ ବଂଶଲ । ଅପ୍ରୀତିକର ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।
ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକାଣ୍ଡ ଘଟଣା ନେଇ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ହିଂସାକାଣ୍ଡ ଘଟିଥିବା ସ୍ଥାନ ଓ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ସ୍ଥାନ ନିରିକ୍ଷଣ କରିଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ, "୧୪ ତାରିଖ ଅପ୍ରିତିକର ଘଟଣା ପରଠାରୁ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି(ରବିବାର) ପରୀକ୍ଷା ପାଇଁ ଏଥିରେ କିଛିଟା କୋହଳ କରାଯାଇଛି । ସକାଳ ସାଢେ 7ଟାରୁ ସାଢେ 10 ଓ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଲୋକଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ ।" ଆଗକୁ ପରିସ୍ଥିତି ଦେଖି ଦୁଇ ଦିନପରେ କର୍ଫ୍ୟୁ ଉଠାଯିବ ବୋଲି ଡିଜି କହିଛନ୍ତି ।