ଓଡିଶା

odisha

ETV Bharat / state

ବୁର୍ଲା ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ, 2ବର୍ଷରେ ଡାକ୍ତରୀ ପଦବୀ ପୂରଣ ନେଇ ପ୍ରତିଶୃତି

ବୁର୍ଲା ପରିଦର୍ଶନରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ଓ ସମାଧାନର ପ୍ରତଶୃତି ଦେଲେ ।

By

Published : Jul 10, 2019, 5:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ କରିଛନ୍ତି । ଦିନ ପ୍ରାୟ 10.30ରେ ପହଞ୍ଚି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମେଡିକାଲ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଅନେକ ଉନ୍ନତି ମୂଳକ ପ୍ରତିଶୃତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଥମେ ଆଶୁ ଚିକିତ୍ସା, ପରେ ଡାଏଲିସିସ ଓ ତାପରେ ଆଇସିୟୁ ବିଭାଗ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଚିକିତ୍ସା ସମ୍ବନ୍ଧୀୟ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ । ବିଦ୍ୟୁତ ବିଭ୍ରାଟ ପାଇଁ ସମସ୍ୟା ନେଇ ନିରନ୍ତର ବିଦ୍ୟୁତ ସରବରାହ ପାଇଁ ଓଏଚପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।


ଦ୍ବିତୀୟ ପର୍ଯ୍ୟାୟରେ ସେ ଭୀମସାରର ନିର୍ଦ୍ଦେଶକ, ଅଧିକ୍ଷକ, ମେଡିକାଲ କଲେଜର ଡିନ, ସମ୍ବଲପୁର ଜିଲ୍ଲାପାଳ, ସିଡିଏମଓ, ଏଡିଏମଓ ଏବେ ବିଭାଗୀୟ ମୁଖ୍ୟଙ୍କ ସହ ଜିଲ୍ଲାର ସ୍ବାସ୍ଥ୍ୟସେବା ତଥା ମେଡିକାଲ କଲେଜ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ । ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ଖୁବଶୀଘ୍ର ଆଉ 4ଟି ମେଡିକାଲ କଲେଜ ପ୍ରତିଷ୍ଠା ଓ 2ବର୍ଷ ମଧ୍ୟରେ ଡାକ୍ତରୀ ପଦବୀ ପୂରଣ ଭଳି ପ୍ରତିଶୃତି ଦେଇଥିଲେ ।

ଏହାଛଡା ବୁର୍ଲା ମେଡିକାଲର ଜମି ସମସ୍ୟା ଲାଗି ରହିଥିବାବେଳେ ଆସନ୍ତା ଅକ୍ଟୋବର 15ତାରିଖ ମଧ୍ୟରେ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବୁର୍ଲା ମେଡ଼ିକାଲରେ ଖାଲିଥିବା 14 ପ୍ରଫେସର, 17 ଟି ଆସୋସିଏଟ ପ୍ରଫେସର, 40ଟି ଆସିଷ୍ଟାଣ୍ଟ ପ୍ରଫେସର ଓ 47ଟି ସିନିୟର ରେସିଡେନ୍ସ ପଦବୀ ପୂରଣ କରାଯିବା ସହ ଭୀମସାରରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ମଗାଯାଇଥିବାର ମନ୍ତ୍ରୀ କହିଛନ୍ତି। ତେବେ ଦେଖବାକୁ ବାକି ରହିଲା ଏସବୁ କଥା କେବେ ରୂପାୟନ ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details