ଓଡିଶା

odisha

ETV Bharat / state

ଗରିବଙ୍କ ପାଇଁ ରୋଜଗାରର ପନ୍ଥା ଖୋଲିଛନ୍ତି ବିଦେଶିନୀ

ବିଦେଶିନୀଙ୍କ ସିଲେଇ ଶିକ୍ଷା ନିଶା । ଶିକ୍ଷା ଦେଉଛନ୍ତି ପୁଣି ଗରିବ ଝିଅ ଓ ମହିଳା ମାନଙ୍କୁ । ଘର ତାଙ୍କର ନ୍ୟୁଜିଲାଣ୍ଡ ହୋଇଥିଲେ ମଧ୍ୟ ଭାରତ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ଟାଣି ଆଣିଛି ସମ୍ଵଲପୁର ପରି ସହରକୁ । ଆଉ ଦୀର୍ଘ 8 ବର୍ଷ ହେଲା ସେ ଏଠାରେ ଗରିବ ଝିଅ ଓ ମହିଳାମାନଙ୍କୁ ଅତି କମ ଅର୍ଥରେ ଅତ୍ୟାଧୁନିକ ସିଲେଇ ଶିକ୍ଷା ଦେଇ ଆସୁଛନ୍ତି ।

By

Published : Jun 10, 2019, 3:25 PM IST

Updated : Jun 10, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ସୁଦୂର ନ୍ୟୁଜିଲାଣ୍ଡର ଆନ୍ନା ଓ୍ବିଲକିନସନ । ମାତ୍ର ମନ ଭାରତରେ । ଭାରତ ବୁଲିବାକୁ ଆସି ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଆଉ 2007 ମସିହାଠାରୁ ସମ୍ବଲପୁର ଜିଲ୍ଲାର ଭାଲୁପାଲିଠାରେ ନିଜକୁ ଭାରତୀୟ ଭାବେ ପ୍ରମାଣିତ କରିବା ସହିତ ଏଠାରେ ରହିଆସୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ନିଜେ ସ୍ବାବଲମ୍ବୀ ହେବା ସହିତ କିଛି ଯୁବତୀଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବାରେ ମଧ୍ୟ ସେ ସହାୟକ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

2007ରେ ତାଜମହଲ ଦେଖିବାକୁ ଆସିଥିବା ବେଳେ ଭାରତର ଭାଷା, ସଂସ୍କୃତି, ରହଣୀ, ବେଶ ଭୁଷା ଓ ଭାରତୀୟ ଲୋକଙ୍କ ବ୍ୟବହାର ତାଙ୍କୁ ଏତେ ଭଲ ଲାଗିଲା ଯେ ସେ ଭାରତରେ ରହିଯିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ସେ 2010 ରେ ସମ୍ଵଲପୁର ସହର କୁ ହିଁ ବାଛିଥିଲେ । ଏଠାରେ ସେ ନିଜ ସ୍ୱାମୀଙ୍କ ସହ ରୁହନ୍ତି । ଉଚ୍ଚ ଶିକ୍ଷିତା ଆନ୍ନା ନ୍ୟୁଜିଲାଣ୍ଡରେ ରହୁଥିବା ବେଳେ ଫ୍ୟାସନ ଡିଜାଇନିଂ ଓ ମଡେଲିଂରେ କୋର୍ସ କରିଥିଲେ । ପାଠ୍ୟକ୍ରମ ଶେଷ ହେବା ପରେ ସେ ସେଠାରେ କିଛି ଦିନ ପାଇଁ ମଡେଲିଂରେ କ୍ୟାରିୟର ଗଢିବାକୁ ପ୍ରୟାସ ମଧ୍ୟ କରିଥିଲେ । ତେବେ ଏଠାକୁ ଆସିବା ପରେ ଫ୍ୟାସନ ଡିଜାଇନିଂ ପାଠ୍ୟକ୍ରମକୁ ଆଧାର କରି ସମ୍ବଲପୁର ଅଞ୍ଚଳରେ ସିଲେଇ କରିବା ସହିତ ଏହି କ୍ଷେତ୍ରରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ଆନ୍ନାଙ୍କ ସିଲେଇ ଶିକ୍ଷା କେନ୍ଦ୍ରରେ ବର୍ତ୍ତମାନ 12 ଜଣ ଟ୍ରେନର ରହିଛନ୍ତି । ଯେଉଁମାନେ ଗରୀବ ଝିଅ ଓ ମହିଳାମାନଙ୍କୁ ସିଲେଇ ଶିକ୍ଷା ଦେଉଛନ୍ତି । ତେବେ ସିଲେଇ ଶିକ୍ଷା ପାଇଁ 4 ମାସର କୋର୍ସ ରହିଛି । ସିଲେଇ ଶିକ୍ଷା ନେବାକୁ ଆସୁଥିବା ଝିଅ ଓ ମହିଳାମାନଙ୍କ ପାଇଁ ଅତ୍ୟାଧୁନିକ ସିଲେଇ ମେସିନ ରହିଛି । ଆରମ୍ଭରୁ ଆନ୍ନା ନିଜେ ହିଁ ସିଲେଇ ଶିକ୍ଷା ଦେଉଥିଲେ । ତେବେ ପରବର୍ତ୍ତୀ ସମୟରେ ଆନ୍ନାଙ୍କ ନିଜ ଶିଷ୍ୟ ହିଁ ଶିକ୍ଷାଦାନ ଦେଇଆସୁଛନ୍ତି । ଆନ୍ନା ଇଂରାଜୀରେ କହୁଥିଲେ ମଧ୍ୟ ତାଙ୍କର ଶିଷ୍ୟମାନେ ଅତି ସହଜରେ ତାଙ୍କର ଭାବନାକୁ ବୁଝିପାରନ୍ତି । ଆଉ ଏଥିପାଇଁ ସେମାନେ ଏଠାରେ ଅତି ଖୁସିରେ ସିଲେଇ ଶିକ୍ଷା ନେଉଛନ୍ତି । ସେପଟେ କେତେକ ଶିଷ୍ୟ ନିଜେ ହିଁ ନିଜର ବ୍ୟବସାୟ ଆରମ୍ଭ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଏଠାରେ ସେ ବିଭିନ୍ନ କପଡା ସହ ମୁଖ୍ୟତଃ ସମ୍ବଲପୁରୀ କପଡାରେ ମହିଳାଙ୍କ ପାଇଁ ଅତ୍ୟାଧୁନିକ ଡିଜାଇନର ବିଭିନ୍ନ ଡ୍ରେସ ତିଆରି କରିବା ପାଇଁ ଶିକ୍ଷା ଦିଅନ୍ତି । ଆଉ ଡିଜାଇନ ଗୁଡିକ ଭିନ୍ନ ଧରଣର ହୋଇଥିବାରୁ ଏହାର ଚାହିଦା ମଧ୍ୟ ବେଶ ବେଶୀ । ଏଠାରେ ସିଲେଇ ହେଉଥିବା ଡ୍ରେସ ବିକ୍ରି ପାଇଁ ସେ 'HOLI BOLI.COM' ନାଁରେ ଏକ ୱେବସାଇଟ କରି ଅନଲାଇନ ସପିଂ ମଧ୍ୟ କରାଯାଉଛି । ଏହି କପଡା କେବଳ ଭାରତ ନୁହେଁ, ନ୍ୟୁଜିଲାଣ୍ଡକୁ ମଧ୍ୟ ପଠାଯାଉଛି । ଆନ୍ନାଙ୍କ ଏହି କାର୍ଯ୍ୟରେ ତାଙ୍କର ସ୍ୱାମୀ ଡାନିଏଲ ତାଙ୍କୁ ବହୁତ ସହାୟତା କରନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Jun 10, 2019, 5:42 PM IST

ABOUT THE AUTHOR

...view details