ସମ୍ବଲପୁର: ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଆଗାମୀ ନିର୍ବାଚନ କାର୍ଯ୍ୟସୂଚୀ । ଏହାପରେ ଲାଗୁ ହୋଇଯିବ ଆଦର୍ଶ ଆରଚଣବିଧି । ଏଣୁ ପ୍ରାକ ପ୍ରସ୍ତୁତି ଶୀଘ୍ର ସାରିବାରେ ଲାଗିଛନ୍ତି ସମ୍ବଲପୁର ମହାନଗର ନିଗମ (ଏସଏମସି) ଏବଂ ଜିଲ୍ଲା ପ୍ରଶାସନ । ବିଶେଷ କରି ନୂତନ ଭୋଟରଙ୍କୁ କିଭଳି ଭୋଟର ଲିଷ୍ଟରେ ସାମିଲ କରାଯିବ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଏସଏମସି ଅଧିନସ୍ଥ ଅଙ୍ଗନବାଡ଼ି କର୍ମୀଙ୍କୁ ବିଏଲଓ ଦାୟିତ୍ବ ଦିଆଯାଇଛି।
ପ୍ରତ୍ୟେକ ବୁଥ୍ରେ ଅଙ୍ଗନବାଡି଼ କର୍ମୀମାନେ ବିଏଲଓ ଭବେ ନିୟୋଜିତ ହୋଇଛନ୍ତି । ଏମାନଙ୍କର ଦାୟିତ୍ବ ହେଲା ମୁଖ୍ୟତଃ 18 ଓ 19 ବର୍ଷୀୟ ନୂତନ ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ସାମିଲ କରାଇବା । ଏହାସହ ଭୋଟ ଦେବାକୁ ଯୋଗ୍ୟ ଦିବ୍ୟାଙ୍ଗ ମାନେ ମଧ୍ୟ କିପରି ଭୋଟର ଲିଷ୍ଟରେ ସାମିଲ ହେବେ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।
ଗତ ଅକ୍ଟୋବର 23 ରୁ ବିଏଲଓ ମାନେ ଘରକୁ ଘର ଯାଇ ଏନେଇ ସଚେତନତା ଆରମ୍ଭ କରିଥିବା ବେଳେ ନିକଟରେ 23 ଓ 24 ତାରିଖରେ ଜିଲ୍ଲାର ପ୍ରତ୍ୟେକ ବୁଥରେ ଦୁଇ ଦିନିଆ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ଭୋଟର କାର୍ଡର ତ୍ରୁଟି ସଂଶୋଧନ, ବୁଥ୍ ପରିବର୍ତ୍ତନ, ନୂତନ ଭୋଟର ହେବାପାଇଁ ଆବେଦନ ଓ ଡୁଆଲ ଏଣ୍ଟ୍ରି ରୋକିବାର କାର୍ଯ୍ୟକ୍ରମ ଇତ୍ୟାଦି ରହିଥିଲା। ଏହି ବୁଥ୍ ମାନଙ୍କରେ ଜିଲ୍ଲା ପ୍ରଶାସନର ସେକ୍ସନ ଅଫିସର ମାନେ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏଇଆରଓ ଅଫିସର ମାନେ ପରିଦର୍ଶନ କରିଛନ୍ତି । ତେବେ ନିର୍ବାଚନୀ ନୋଟିଫିକେସନ ଜାରି ହେବା ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିବ ବୋଲି ମହାନଗର ନିଗମ ତରଫରୁ କୁହାଯାଇଛି ।