ସମ୍ବଲପୁର:ଆଜି ଇସଲାମିକ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଫିତର । ମୁସଲମାନ ଭାଇ-ଭଉଣୀମାନେ ପାଳନ କରୁଛନ୍ତି ଇଦ୍ । ସକାଳୁ ସକାଳୁ ମସଜିଦଗୁଡିକରେ ସମୁହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି । ସମ୍ବଲପୁରରେ ମୁସଲମାନ ସମ୍ପ୍ରଦାୟର ଲୋକେ ଶାନ୍ତି ଶୃଙ୍ଖଳାର ସହ ଇଦ୍ ପର୍ବ ପାଳନ କରିଛନ୍ତି । ସହରରେ ଗତ 12 ଓ 14 ତାରିଖରେ ଘଟିଥିବା ହିଂସାକାଣ୍ଡ ଓ ପଥର ମାଡ ଅଘଟଣ ଯୋଗୁଁ ଏବେ ବି ଧାରା 144 ଓ କର୍ଫ୍ୟୁ ବଳବତ୍ତର ରହିଛି । ତେଣୁ ଆଜି ଇଦ୍ ଥିବାରୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l
ସମ୍ବଲପୁର ସହରର ସାକ୍ଷୀପଡ଼ାସ୍ଥିତ ଇଦଗାହ ଠାରେ ଇଦ୍ ଅବସରରେ ପ୍ରତ୍ୟେକ ବର୍ଷ 7 ରୁ 8 ହଜାର ଲୋକ ସାମୁହିକ ନାମାଜ ପାଠ କରିଥାନ୍ତି । ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଦଗାହରେ ନମାଜ ପାଠକୁ ବାରଣ କରାଯାଇଥିଲା l ଏଥର କେବଳ ମସଜିଦଗୁଡ଼ିକ ଭିତରେ ନମାଜ ପାଠ ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ବିଭାଗ ପକ୍ଷରୁ 46 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ବିଭିନ୍ନ ମସଜିଦଗୁଡିକ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଇଦର ଶୁଭେଚ୍ଛା ଜଣାଇଛନ୍ତି ଏସପି ।