ସମ୍ବଲପୁର: ବର୍ତ୍ତମାନ ସାରା ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଏହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି। ରାଜ୍ୟରେ ଜାରି ରହିଥିବା କୋଭିଡ ଜନିତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଯୋଗୁଁ ସ୍ବାଭାବିକ ଜୀବନ ଧାରା ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ସମ୍ବଲପୁର ମହାନଗର ନିଗମ ଅଧିନରେ ଥିବା କେତେକ ଅଞ୍ଚଳରେ PHD ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ମୁଖ୍ୟତଃ ବସ୍ତି ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ସମସ୍ୟା ପାଇଁ ବର୍ଷ ବର୍ଷ ଧରି ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି ।
ସରୁନି PHD ପାଇପଲାଇନ କାର୍ଯ୍ୟ, ପାଣି ପାଇଁ ହନ୍ତସନ୍ତ ସମ୍ବଲପୁରବାସୀ ସମ୍ବଲପୁର ସହର 2014 ମସିହାରେ ମହାନଗର ନିଗମର ମାନ୍ୟତା ପାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏହି ମହାନଗର ନିଗମରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୂର୍ଣ୍ଣ ରୂପେ ବ୍ୟବସ୍ଥିତ ହୋଇପାରିନାହିଁ । ସମ୍ବଲପୁର ମହାନଗର ନିଗମରର କେତେକ ୱାର୍ଡରେ ଏଯାଏଁ ପାନୀୟ ଜଳ ଯୋଗାଣ ସଠିକ ରୂପେ ହୋଇପାରିନି। ମୁଖ୍ୟତଃ ବସ୍ତି ଅଞ୍ଚଳ ଗୁଡ଼ିକରେ ଏହି ସମସ୍ୟା ବର୍ଷ ବର୍ଷ ଧରି ଜାରି ରହିଛି। ଜିଲ୍ଲାର ସାକ୍ଷୀପଡା ଅଞ୍ଚଳର 29 ନମ୍ବର ୱାର୍ଡର ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଦୀର୍ଘ ବର୍ଷ ଧରି ଏହି ୱାର୍ଡର ସରଳାକାନି ଓ ଗାନ୍ଧୀ କଲୋନୀ ସହ ଆଖ ପାଖ ଅଞ୍ଚଳରେ PHD ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ହନ୍ତସନ୍ତ ହେଉଛନ୍ତି ଲୋକେ।
ପାଇପ ଓ ଟ୍ୟାପ ଲାଗିଛି ସତ, କିନ୍ତୁ ପାଣି ଅସୁନି। କେଉଁଠି ପାଇପ ଅଧାପନ୍ତରିଆ ହୋଇ ପଡିଛି ତ କେଉଁଠି ପାଇପ ମୋଟାମୋଟି ଲାଗି ନଥିବା କହୁଛନ୍ତି ଲୋକେ। କେତେକ ଅଞ୍ଚଳରେ ପାଇପ ଲାଗିଛି ତେବେ ପ୍ରତ୍ୟେକ ଦିନ ପାଣି ଅସୁନାହିଁ । ଲୋକମାନଙ୍କର ଏବେ ଏକମାତ୍ର ସାହାରା ପାଲଟିଛି ନଳକୂପ ତେବେ ଖରାଦିନେ ନଳ କୂପରେ ମଧ୍ୟ ଭଲ ଭାବେ ପାଣି ଆସୁନି। ଅନ୍ୟପଟେ ମହାନଗର ନିଗମ ପକ୍ଷରୁ ପଠାଯାଉଥିବା ପାଣି ଟାଙ୍କର ପ୍ରତ୍ୟେକ ଦିନ ଆସୁନଥିବା ଅଭିଯୋଗ କରିଛନ୍ତି ଲୋକେ। ଗୋଟିଏ ବର୍ଷ ହେଲା ପାନୀୟ ଜଳଯୋଗାଣ ପାଇପ ବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ଥାନୀୟ ଲୋକେ ଗୋଟିଏ ବର୍ଷ ହେଲା ଜନ ସ୍ବାସ୍ଥ୍ୟ ବିଭାଗ ଓ ମହାନଗର ନିଗମ ପାଖକୁ ବାରମ୍ବାର ଦୌଡି ସ୍ଥାନୀୟ ଲୋକ ନୟାନ୍ତ ହୋଇ ସାରିଲେଣି।
ଅନ୍ୟପଟେ ଏହିଭଳି ସମସ୍ୟା ମହାନଗର ନିଗମର ଲାଗିରହିଥିବା କଥାକୁ ସ୍ବୀକାର କରିଛନ୍ତି ମହାନଗର ନିଗମର କମିଶନର। ବାରମ୍ବାର ଏହିଭଳି ସମସ୍ୟା ନଜରକୁ ଆସୁଛି ଆଉ ଜନସ୍ଵାସ୍ଥ୍ୟ ବିଭାଗ ସହ ଯୋଗାଯୋଗ ସ୍ଥାପନ କରି ଏହି ସବୁ ସମସ୍ୟାର ସମାଧାନ କରାଯାଇଛି ବୋଲି କମିଶନର କହିଛନ୍ତି। ତେବେ ପାଇପ ଲାଇନ ଜନିତ କୌଣସି ସମସ୍ୟା ନେଇଥିବା ଅଭିଯୋଗର ସମାଧାନ ପାଇଁ କୌଣସି ନିର୍ଦ୍ଧାରିତ ସମୟ ନାହିଁ। କେତେକ କାର୍ଯ୍ୟ ଶ୍ରୀଘ୍ର ହେଉଥିବା ବେଳେ କେତେକ କାର୍ଯ୍ୟ ବିଳମ୍ବରେ ହେଉଥିବା କହିଛନ୍ତି କମିଶନର। ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ଯୋଗୁଁ ପାଣି ଟାଙ୍କରରେ ମହିଳାଙ୍କ ଭିଡ଼ ଜମୁଛି । ଆଉ ବର୍ତ୍ତମାନ କୋଭିଡ ସଂକ୍ରମଣ ସମୟରେ ଆଗକୁ ସଂକ୍ରମଣକୁ ଆହୁରି ବୃଦ୍ଧି କରିପାରେ । ତେଣୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ