ଓଡିଶା

odisha

ETV Bharat / state

ଆଜି ବରଯାତ୍ରୀ ନେଇ ଯିବେ ଭୋଳାବାବା, ରାତିରେ ଦେବ ଦମ୍ପତିଙ୍କ ବିବାହ - ସମ୍ବଲପୁରରେ ଶିବ ପାର୍ବତୀଙ୍କ ବିବାହ

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଜାରି ରହିଥିବା ବେଳେ ମଙ୍ଗଳବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ ହୋଇଛି l ଆଜି ରାତିରେ ହେବ ଦେବ ବିବାହ ।

ସରିଲା ହନୁମାନ ନିଉତା ନୀତି
ସରିଲା ହନୁମାନ ନିଉତା ନୀତି

By

Published : May 24, 2023, 1:31 PM IST

ଦେବ ଦମ୍ପତିଙ୍କ ବିବାହ

ସମ୍ବଲପୁର:ସମ୍ପନ୍ନ ହୋଇଛି ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ହନୁମାନ ନିଉତା ନୀତି । ଆଜି ହେବ ଦେବ ଦମ୍ପତିଙ୍କ ବିବାହ । ରାତିରେ ବରଯାତ୍ରୀ ନେଇ କନ୍ୟା ଘରକୁ ବାହାରିବେ ଭୋଳାବାବା । ବିଳମ୍ବିତ ରାତିରେ ହେବ ବିବାହ । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳେ ଗତକାଲି (ମଙ୍ଗଳବାର) ରାତିରେ ମୁଦୀପଡା ଜାଗେଶ୍ବର ବାବା, ଝାଡୁଆପଡା ଲୋକନାଥ ବାବା, ବଡ଼ ବଜାର ଶୀତଳେଶ୍ବର ବାବା ସମେତ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ହୋଇଛି l

ରାତି ପ୍ରାୟ ୯ଟା ସମୟରେ ଭଗବାନ ହନୁମାନଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା ବାହାରି ବିଳମ୍ବିତ ରାତିରେ ସମାପ୍ତ ହୋଇଥିଲା l ହନୁମାନ ରଥାରୁଢ଼ ହେବା ପରେ ବିଧି ପୂର୍ବକ ପୂଜାର୍ଚ୍ଚନା ଓ ମହାଆଳତୀ ହୋଇଥିଲା । ଏହାପରେ ହନୁମାନ ପ୍ରଭୁ ଶିବ ପାର୍ବତୀଙ୍କ ବିବାହ ପାଇଁ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବାକୁ ଶୋଭାଯାତ୍ରାରେ ବାହାରି ଥିଲେ । ଘଣ୍ଟ ଶଙ୍ଖ ମର୍ଦଲ ତାଳେ ତାଳେ ବାହାରିଥିଲା ଶୋଭାଯାତ୍ରା l

ଏହି ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲୋକ କଳାକାର ଦଳ ସାମିଲ ହୋଇଥିଲେ l ହନୁମାନଙ୍କ ପକ୍ଷରୁ ବିଭିନ୍ନ ମନ୍ଦିରରେ ଗୁଆ, ହଳଦୀ, ନଡ଼ିଆ, ମିଠା ଦେଇ ଦେବାଦେବୀଙ୍କୁ ଦେବ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା l ସମ୍ବଲପୁର ଚାଲିଥିବା ଶୀତଳ ଷଷ୍ଠୀ ଯାତ୍ରାରେ କେବଳ ନନ୍ଦପଡାରେ ନୃସିଂହ ଭଗବାନ ଦେବ ନିମନ୍ତ୍ରଣ କରୁଥିବା ବେଳେ ଅନ୍ୟ ସମସ୍ତ ଯାତ୍ରା କମିଟରେ ପ୍ରଭୁ ହନୁମାନ ଦେବ ନିମନ୍ତ୍ରଣ କରିବାର ପରମ୍ପରା ରହିଛି । ଏହାକୁ ଗୁଆ ଗୁଣ୍ଡା ପରମ୍ପରା ମଧ୍ୟ କୁହାଯାଏ l

ଏହାମଧ୍ୟ ପଢନ୍ତୁ : Sitala Sasthi Yatra: ସମ୍ବଲପୁରରେ କାହିଁକି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଜାଣନ୍ତୁ ପଛର ଇତିହାସ

ଆଜି (ବୁଧବାର) ସକାଳେ ବିଭିନ୍ନ ଯାତ୍ରା କମିଟିର ଗଣ୍ଠାଳ ଫିଟା ନୀତି ଓ ହଳଦୀ ପରମ୍ପରା ଅନୁଷ୍ଠିତ ହେଉଛି । ବୁଧବାର ରାତି ୧୧ଟାରେ ଦେବ ଦେବ ମହାଦେବ ବରଯାତ୍ରୀରେ ବାହାରିବେ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଗଣ୍ଠାଳ ଫିଟା ପରମ୍ପରା ଅନୁସାରେ ଗତବର୍ଷ ଯେଉଁ ଦମ୍ପତି କନ୍ୟା ପିତାମାତା ହୋଇଥାନ୍ତି ସେହି ଦମ୍ପତି ମନ୍ଦିରରୁ ଦେବ ଦମ୍ପତିକୁ ନିଜ ଘରକୁ ନେଇ ଗତବର୍ଷ ପଡିଥିବା ବିବାହ ଗଣ୍ଠି ଫିଟେଇଥାନ୍ତି l ଏହାପରେ ମାତା ପାର୍ବତୀଙ୍କୁ ଚଳିତ ବର୍ଷର କନ୍ୟା ପିତାମାତା ନିଜ ଘରକୁ ନିଅନ୍ତି l ଏହି ପରମ୍ପରାକୁ ଗଣ୍ଠାଳ ଫିଟା ପରମ୍ପରା କୁହାଯାଏ l

ଏହାମଧ୍ୟ ପଢନ୍ତୁ: ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୨ ଗିରଫ: ମୃତକଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ଦାବି


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details