ସମ୍ବଲପୁର: ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦିବ୍ୟାଙ୍ଗ ପରିବାର। ସମ୍ବଲପୁର ମହାନଗର ନିଗମ ସରଳାକାନୀ, ଗାନ୍ଧିପଡାରେ ରହୁଥିବା କନ୍ଦର୍ପ ବାଗ ଓ ତାଙ୍କ ପରିବାରର ଦୁଃଖ କହିଲେ ନସରେ। କନ୍ଦର୍ପ ବାଗ ନିଜେ ଏବେ ଜଣେ ଦିବ୍ୟାଙ୍ଗ । ଆଉ ତାଙ୍କ ସହିତ ତାଙ୍କର ରୁଗ୍ଣ ସ୍ତ୍ରୀ, 80 ବର୍ଷର ବୁଢ଼ୀ ମା, ଶଯ୍ୟାଶାୟୀ ପୁଅ ଓ 2 ଛୋଟ ନାତିନାତୁଣୀ ଅଛନ୍ତି। ଆଉ ଏହି ଅସହାୟ ପରିବାରର ଦାୟିତ୍ୱ କନ୍ଦର୍ପ ବାଗଙ୍କ ଉପରେ। ସରକାରୀ ସହାୟତା କହିଲେ କେବଳ 20 କେଜି ଚାଉଳ। ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗ କନ୍ଦର୍ପ ବାଗଙ୍କ ପରିବାର ଏବେ ସରକାରୀ ସହାୟତା ପାଇଁ ସଂଘର୍ଷ କରୁଛି।
ସମ୍ବଲପୁର ସହରର ସରଳାକାନୀ ଅଞ୍ଚଳର ଗାନ୍ଧିପଡା ବସ୍ତି ଅଞ୍ଚଳରେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି କନ୍ଦର୍ପ ବାଗଙ୍କ ପରିବାର। କନ୍ଦର୍ପଙ୍କୁ 63 ବର୍ଷ ହୋଇଯାଇ ଥିବାବେଳେ ଅଢେଇ ବର୍ଷ ହେଲା ପାରାଲିସିସ ଯୋଗୁଁ ଏବେ ସେ କୌଣସି କାର୍ଯ୍ୟ କରିବା ପାଇଁ ସମ୍ପୁର୍ଣ୍ଣ ଅକ୍ଷମ । ତାଙ୍କ ସହିତ ତାଙ୍କର 80 ବର୍ଷୀୟ ବୁଢ଼ୀମା, ରୁଗ୍ଣ ସ୍ତ୍ରୀ ଥିବା ବେଳେ ତାଙ୍କର ଭେଣ୍ଡିଆ ପୁଅ ବି ଅଜଣା ରୋଗର ଶିକାର ହୋଇ ଏବେ ଶଯ୍ୟାଶାୟୀ।
ଏଭଳି ସ୍ଥିତିରେ ତାଙ୍କର ବୋହୂ ବି ଘର ଛାଡ଼ି ଚାଲିଯିବା ପରେ ଏବେ 2 ନାତିଙ୍କ ଚିନ୍ତା ବି ମୁଣ୍ଡ ଉପରେ । ଆଉ ଏହି 6 ପ୍ରାଣୀ କୁଟୁମ୍ବଙ୍କ ପେଟପାଟଣାର ଚିନ୍ତା ଘାରୁଛି କନ୍ଦର୍ପ ବାଗଙ୍କୁ। ନିଜେ କିଛି ବି କାମ କରି ପାରୁ ନଥିବାବେଳେ ନିଜର 80 ବର୍ଷୀୟ ବୁଢ଼ୀମା ଓ ତାଙ୍କର ରୋଗୀଣା ସ୍ତ୍ରୀ ଏକ ଛୋଟ ପାନ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।