ସମ୍ବଲପୁର: ଗୋଟିଏ ଦିନ ପାଇଁ ସିଲ୍ ହେଲା ବୁର୍ଲା ସ୍ଥିତ ଭିସୁଟ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ତେବେ ଜଣେ ଅଧ୍ୟାପିକାଙ୍କ ସ୍ବାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ କରାଯାଉଛି ।
ସିଲ ପରେ ସାନିଟାଇଜ ହେଲା ବୁର୍ଲା ବିଶ୍ବବିଦ୍ୟାଳୟ ତେବେ ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୋଳର ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣଙ୍କ ନାଲକୋରେ କାର୍ଯ୍ୟରତ ଥିଲେ । ଏହାସହ ଅଧ୍ୟାପିକାଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜଣା ପଡିଛି ।
ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରା ଯାଇଥିବା ବେଳେ ଆଗକୁ କେଉଁ ପଦକ୍ଷେପ ନିଆଯିବ ତାହା ନେଇ ବୈଠକ ହେଉଛି । ଏହାସହ ଅଧ୍ୟାପିକାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି ।
ଏପଟେ ମଙ୍ଗଳବାର ସମ୍ବଲପୁରରେ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ 63 ବର୍ଷୀୟା ମହିଳାଙ୍କ ସହ 28, 22, 19 ବର୍ଷୀୟ ଯୁବକ ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ପରି ରାଜ୍ୟରୁ ଫେରିଥିଲେ । ପଜିଟିଭ ଚିହ୍ନଟ ହେବାପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।
ସମ୍ବଲପୁରରୁ ବଦଶାହ ଜୁସମନ୍ ରଣା, ଇଟିଭି ଭାରତ