ସମ୍ବଲପୁର:ସମ୍ବଲପୁର ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଜୋର ଧରିଲା ଦାବି । ASET(Association of Students, Employees and Teachers) ସଂଗଠନ ପକ୍ଷରୁ ଏନେଇ ଦାବି କରାଯାଇଛି । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ ଏଠାରେ ସବୁ ପ୍ରକାର ଭିତ୍ତିଭୂମି ଥିବାବେଳେ ଏହି ବିଶ୍ୱ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାକୁ ଏହି ସଂଗଠନ ପକ୍ଷରୁ 20 ବର୍ଷ ହେଲା ଉଦ୍ୟମ କରାଯାଉଛି । ତେବେ ଆଗକୁ ଏନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l
ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସବୁ ପ୍ରକାର ଭିତ୍ତିଭୂମି ଥିବାବେଳେ ଦୀର୍ଘ 20 ବର୍ଷ ହେଲା ଏହି ଦାବୀ କରି ଆସୁଛି ASET ସଂଗଠନ l ଏଥିପାଇଁ 2004 ମସିହାରେ "ASET"ର ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରସ୍ତାବିତ ପତ୍ର କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ହେଲେ ଆଗୁଆ ନିର୍ବାଚନ ହୋଇଯିବାରୁ ତତ୍କାଳୀନ ସରକାର ଏହା କରି ପାରିନଥିଲେ । ପରବର୍ତ୍ତୀ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପୁରାତନ ଛାତ୍ର ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରହିଛନ୍ତି । ତେଣୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରସ୍ତାବିତ ପତ୍ର କେନ୍ଦ୍ର ସରକାରଙ୍କୁ ଲେଖିଲେ ଏହା ସମ୍ଭବ ହୋଇପାରିବ ବୋଲି ASET ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ 1 ଜାନୁଆରୀ 1967ରେ ସ୍ଥାପିତ ହୋଇଥିଲା । ଏହାର କ୍ୟାମ୍ପସର 620 ଏକର ଜମି ଥିବାବେଳେ ଏଠାରେ 20ଟି ବିଭାଗ ରହିଛି l ବର୍ତ୍ତମାନ ସୁଦ୍ଧା ଏହି ବିଶ୍ୱ ବିଦ୍ୟାଳୟରେ 90 ହଜାର ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି l ଏହି ବିଶ୍ୱ ବିଦ୍ୟାଳୟର ବାର୍ଷିକ 2 ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ଏହା ଅଧୀନରେ 156ଟି କଲେଜ ରହିଛି l ଏହି ବିଶ୍ୱ ବିଦ୍ୟାଳୟରେ 105 ଶିକ୍ଷକ ପଦବୀ ଥିବାବେଳେ ଆଜି ପର୍ଯ୍ୟନ୍ତ ସୀମିତ ଭିତ୍ତିଭୂମି ଭିତରେ 952ଟି ରିସର୍ଚ୍ଚ ହୋଇ ସାରିଛି । ମୁଖ୍ୟତଃ ରାଜ୍ୟର ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ଶିକ୍ଷା ଦେଇଆସୁଛି l