ସମ୍ବଲପୁର:ଚିଲିକା ଓ ଭିତର କନିକା ପରେ ଆଜିଠୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ଜଳ ଭଣ୍ଡାରରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । 32ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ବନ ବିଭାଗର ବନ କର୍ମଚାରୀ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ହୀରାକୁଦ ଜଳ ଭଣ୍ଡାରକୁ 21ଟି ସେକ୍ଟରରେ ଭାଗ କରାଯାଇଛି । ମୋଟ 78 ଜଣ କର୍ମଚାରୀ ଓ ପକ୍ଷୀ ବିଶେଷଜ୍ଞ ପକ୍ଷୀ ଗଣନା କରୁଛନ୍ତି । ସେମାନଙ୍କ ମଧ୍ୟରେ 33 ଜଣ ପକ୍ଷୀ ବିଶେଷଜ୍ଞ ଅଛନ୍ତି ।
ଆଜି ସକାଳ 6ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ଥିବା ଟିମକୁ ଲାଇଫ ଜ୍ୟାକେଟ ଓ ବାଇନାକୁଲାର ଦିଆଯାଇଛି । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ ନିଜେ ଗଣନା କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି l ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଜାରି ରହିବ । ବାଇନାକୁଲର ସାହାଯ୍ୟରେ ପକ୍ଷୀ ଗଣନା କରୁଛନ୍ତି ନିୟୋଜିତ ଟିମ । ଚଳିତ ବର୍ଷ ହୀରାକୁଦକୁ କେତେ ପକ୍ଷୀ ଆସିଛନ୍ତି ସେନେଇ ଗଣନା ଚାଲିଛି । ଗଣନା ସରିବା ପରେ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବ ।