ଓଡିଶା

odisha

ETV Bharat / state

ବିଶ୍ଵ ହାତୀ ଦିବସ: ରାୟଗଡା ବନଖଣ୍ଡରୁ ନିଖୋଜ ୯୪ ହାତୀ

70 ଦଶକରେ ଜିଲ୍ଲାରେ ହାତୀଙ୍କ ସଂଖ୍ୟା ଥିଲା ୧୦୨ ଥିଲା । ଆଉ ଏବେ ମାତ୍ର 8ଟି ହାତୀ ରହିଛନ୍ତି । ଯାହା ଚିନ୍ତାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ବିଶ୍ଵ ହାତୀ ଦିବସ: ରାୟଗଡା ବନଖଣ୍ଡରୁ ନିଖୋଜ ୯୪ ହାତୀ
ବିଶ୍ଵ ହାତୀ ଦିବସ: ରାୟଗଡା ବନଖଣ୍ଡରୁ ନିଖୋଜ ୯୪ ହାତୀ

By

Published : Aug 12, 2020, 3:28 PM IST

ରାୟଗଡା: ରାୟଗଡା ବନଖଣ୍ଡରୁ ୯୪ ହାତୀ ନିଖୋଜ । ଏଭଳି ଏକ ତଥ୍ୟ ଚକିତ କରିଛି ରାୟଗଡା ଜିଲ୍ଲାବାସୀଙ୍କୁ । 70 ଦଶକରେ ଜିଲ୍ଲାରେ ହାତୀଙ୍କ ସଂଖ୍ୟା ୧୦୨ ଥିଲା । ହେଲେ ଏହା ବଦଳରେ ଏବେ ଅଛନ୍ତି ମାତ୍ର ୮ଟି ହାତୀ । ଏହି ହାତୀପଲ କେବେ ରାୟଗଡ଼ା ତ କେବେ କନ୍ଧମାଳରେ ତ ଆଉ କେବେ କଳାହାଣ୍ଡିରେ ଘୁରି ବୁଲୁଛନ୍ତି ।

ବର୍ଷର କିଛି ମାସକୁ ଛାଡ଼ିଲେ ଏହି ହାତୀ ପଲର ଠିକଣା ବନ ବିଭାଗ ପାଖରେ ନାହିଁ। ଏପଟେ କିନ୍ତୁ ପଡୋଶୀ ରାଜ୍ୟ ଓ ଜିଲ୍ଲାରେ ହାତୀପଲଙ୍କ ଦୌରାତ୍ମ୍ୟର ନାକେଦମ ହୋଇ ପଡ଼ୁଛନ୍ତି ଜିଲ୍ଲାବାସୀ। ହାତୀପଲ ଜିଲ୍ଲାରେ ପଶି ଫସଲ, ଧନ ସମ୍ପଦ ନଷ୍ଟ କରୁଥିବାବେଳେ କ୍ଷତିପୂରଣ ଭରଣା କରୁଛି ରାୟଗଡା ବନ ବିଭାଗ। ରାଜ୍ୟ ସରକାରଙ୍କ ହାତୀଗଣନା ରିପୋର୍ଟ ଅନୁଯାୟୀ ୧୯୭୯ ମସିହାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୧୦୨ ହାତୀ ଥିଲେ। ଧୀରେ ଧୀରେ ହାତୀଙ୍କ ସଂଖ୍ୟା ୧୯୯୯ ବେଳକୁ ୧୦କୁ ଖସି ଆସିଥିଲା । ୨୦ ବର୍ଷ ମଧ୍ୟରେ ୯୨ ହାତୀ ରାୟଗଡ଼ା ଜିଲ୍ଲାରୁ ନି‌ଖୋଜ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ୯୨ ହାତୀ ପଡୋଶୀ ଜିଲ୍ଲା କିମ୍ବା ରାଜ୍ୟକୁ ଚାଲିଗଲେ ନାଁ ମୃତ୍ୟୁବରଣ କଲେ ତାର କୌଣସି ସଠିକ ତଥ୍ୟ ବନ ବିଭାଗ ପାଖରେ ନାହିଁ ।

ବିଶ୍ଵ ହାତୀ ଦିବସ: ରାୟଗଡା ବନଖଣ୍ଡରୁ ନିଖୋଜ ୯୪ ହାତୀ

୨୦୦୭ ହାତୀ ଗଣନା ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଥିଲା । ୨୦୧୦ରେ ପୁଣି ହ୍ରାସ ପାଇ ହାତୀ ସଂଖ୍ୟା ୧୨, ୨୦୧୨ରେ ୪, ୨୦୧୫ରେ ୯ ଏବଂ ୨୦୧୯ ରେ ୮ରେ ସୀମିତ ରହିଛି । ୮ଟି ହାତୀ ଏବେ ଗୁଡାରି ରେଞ୍ଜର ଶରଧାପୁର ଅଞ୍ଚଳରେ ଅଛନ୍ତି। ଗୁଡାରି-ଚନ୍ଦ୍ରପୁର ଜଙ୍ଗଲକୁ ଛାଡ଼ିଲେ ଏହି ହାତୀ ପଲ ଅନ୍ୟ କୁଆଡେ ଯାଉନଥିବାବେଳେ ଆନ୍ଧ୍ର-ଓଡ଼ିଶା ସୀମା ରାୟଗଡ଼ା ଜଙ୍ଗଲରେ ଆନ୍ଧ୍ର ହାତୀ ପଲ, ମୁନିଗୁଡାରେ କନ୍ଧମାଳ ଏବଂ ନିୟମଗିରିରେ କଳାହାଣ୍ଡି ଜିଲ୍ଲାର ହାତୀପଲ ଦୌରାତ୍ମ୍ୟ ଜାରି ରଖିଛନ୍ତି ।

୨୦୧୯ ଜାନୁଆରୀ ଓ ଡିସେମ୍ବରରେ ଆନ୍ଧ୍ର ହାତୀପଲ ରାୟଗଡ଼ାର କେରେଡ଼ା ପଞ୍ଚାୟତର ଅନିଜା, ବୋରହଲୁଆ, ଏମ୍ପଲୱାଲସାରେ ଫସଲ ନଷ୍ଟ କରିବା ପରେ ହାତୀ ଘଉଡାଇବାକୁ ନେଇ ଆନ୍ଧ୍ର-ଓଡ଼ିଶା ବନ ବିଭାଗ ମୁହାଁମୁହିଁ ହୋଇଥିଲେ। ୭ ରାତି ୩ ଗ୍ରାମବାସୀ ଅନିଦ୍ରା ରହିବା ସହ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ପରେ ଉଭୟ ରାଜ୍ୟର ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କ ତତ୍ତ୍ବାବଧାନରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ସେହିପରି କଲ୍ୟାଣସିଂହପୁର, ବିଷମକଟକ ବ୍ଲକକୁ ଲାଗିଥିବା ନିୟମଗିରି ପାହାଡ ଜନବସତି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି କଳାହାଣ୍ଡି ହାତୀପଲ। କର୍ଲାପାଟ ଜଙ୍ଗଲରୁ ଆସୁଥିବା ହାତୀପଲ ଗୁମ୍ମା, ଲାମ୍ବା, ଡଙ୍ଗାମାଟି, ପଟାଙ୍ଗପଦର, ବଡଡେଙ୍ଗଲେଲି, ଡାଲିଆକୁଜି, ଦୁଆରଗୁଡ଼ି ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ବାସଗୃହ ଓ ସ୍କୁଲ ଘରକୁ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷରେ ମୁନିଗୁଡାରେ କନ୍ଧମାଳ ହାତୀପଲ ବର୍ଷର ୩ ମାସ ଘୁରି ବୁଲୁଛନ୍ତି। ବେଲଘର ଜଙ୍ଗଲ ଦେଇ ହାତୀପଲ ବିଭିନ୍ନ ଗାଁରେ ପଶି ଧାନ ଫସଲ ଖାଉଛନ୍ତି। ଯାହାର କ୍ଷତିପୂରଣ ଭରଣା କରୁଛି ରାୟଗଡ଼ା ବନ ବିଭାଗ।

୨୦୧୮ ଜୁଲାଇରେ ଗୁଡାରି ରେଞ୍ଜର ତାବଲାଗୁଡା ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏକଦା ରାୟଗଡା ଜିଲ୍ଲାର ଘଞ୍ଚ ଜଙ୍ଗଲରେ ବଣକଦଳୀ, ବାଉଁଶ, ମହୁଲ ଖାଇବାକୁ ଘୁରି ବୁଲୁଥିଲେ ହାତୀପଲ । ଘଞ୍ଚ ଜଙ୍ଗଲ ପାଇଁ ବର୍ଷ ବର୍ଷ ଧରି ନିୟମଗିରି ହାତୀଙ୍କ ପାଇଁ ଥିଲା ସୁରକ୍ଷିତ ଆବାସ ସ୍ଥଳୀ । ଧାନ ଏବଂ ଅନ୍ୟ ଫସଲ ଅମଳ ସମୟରେ ଚନ୍ଦ୍ରପୁର, ଗୁଡାରି, ମୁନିଗୁଡା, ବିଷମକଟକ, କଲ୍ୟାଣସିଂହପୁରରେ ଦୁଇ ତିନି ଭାଗରେ ବିଭକ୍ତି ହୋଇ ଘୂରି ବୁଲୁଥିଲେ ଏଠିକା ହାତୀ ।

ଚନ୍ଦ୍ରପୁର, ତେଲେଙ୍ଗାପଦର, କୁମୁଡାବାଲି, ପଦ୍ମପୁର, ହୁମାଗୁଞ୍ଜି, ଜଗଦଲପୁର, ଶରଧାପୁର ଦେଇ ବେଲଘରକୁ ଯାଉଥିଲେ। ପୁଣି ସାରକାପାଡି, କେଶରାପାଡି ଦେଇ ନିୟମଗିରିରେ ପହଞ୍ଚୁଥିଲେ। ଏବେ କିନ୍ତୁ ପରିବେଶପ୍ରେମୀଙ୍କ ପାଇଁ ହାତୀ ସଂଖ୍ୟା ଚିନ୍ତା ବଢାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details