ରାୟଗଡା: ପୁଣି ଜନନୀ ଯନ୍ତ୍ରଣାର ଖବର ଆସିଛି କାଶୀପୁର ବ୍ଲକ ଅନ୍ତର୍ଗତ କୋଡ଼ିପାରି ଗ୍ରାମପଞ୍ଚାୟତର ଭେଜାପଦର ଗାଁରୁ । ଏହି ଗାଁର ତୁଳା ରାମ ନାଏକଙ୍କ ସ୍ତ୍ରୀ ମୋନାଲି ନାଏକଙ୍କ ପ୍ରସବ ଯନ୍ତ୍ରଣା ହେଇଥିଲା । ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ସ୍ବାମୀ ତୁଳାରାମ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁକୁ ନଆସିପାରି 5 କିଲୋମିଟର ଦୂର ସିଲାଫାସ ଗାଁ ନିକଟରେ ଅଟକିଯାଇଥିଲା ।
ଶିଳ୍ପ ସମୃଦ୍ଧ ଭରା କାଶୀପୁରେ ପିଛା ଛାଡୁନାହିଁ ଜନନୀ ଯନ୍ତ୍ରଣା ଶେଷରେ ୫ କିମି ରାସ୍ତାକୁ ପ୍ରାୟ ୧ ଘଣ୍ଟା କାଳ ପରିଶ୍ରମ କରି ପହଞ୍ଚିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଷ୍ଟ୍ରେଚେର ସାହାଯ୍ୟରେ ଗର୍ଭବତୀ ମୋନାଲିଙ୍କୁ ଆମ୍ବୁଲାନ୍ସ ନିକଟକୁ ନେବା ବାଟରେ ରାସ୍ତାକଡ଼ ଏକ କିଆରୀ ନିକଟରେ ସେ ପ୍ରସବ କରିଥିଲେ ଏକ ପୁତ୍ର ସନ୍ତାନ ।
ଶିଳ୍ପ ସମୃଦ୍ଧ ଭରା କାଶୀପୁର ବ୍ଲକ । ହେଲେ ଏଠି ସର୍ବଦା ଜନନୀର ଯନ୍ତ୍ରଣା ସ୍ଵରରେ କାନ ଫାଟି ପଡୁଛି । ଛଅ ମାସରେ 9ଟି ଘଟଣା ଦର୍ଶାଇ ଦେଉଛି ଯେ କାଶୀପୁର ବ୍ଲକରେ କିଭଳି କାର୍ଯ୍ୟ କରୁଛି ଜନନୀ ସୁରକ୍ଷା ଯୋଜନା ।
ସବୁଠି ଗୋଟିଏ କଥା ଗାଁକୁ ଭଲ ରାସ୍ତାଟିଏ ନାହିଁ । ଆମ୍ବୁଲେନ୍ସ କର୍ମଚାରୀ କିଲୋମିଟର କିଲୋମିଟର ଧରି ଗର୍ଭବତୀଙ୍କୁ ଷ୍ଟ୍ରେଚେରରେ ବୋହିନେବା ବାଟରେ କିଏ ରାସ୍ତା କଡରେ ତ ପୁଣି କିଏ କିଆରୀ ହୁଡାରେ ପ୍ରସବ କରୁଛି । ହେଲେ ପ୍ରସବ ବେଦନାର ସ୍ଵର ନା ଜିଲ୍ଲା ପ୍ରଶାସନକୁ ଶୁଭୁଛି ନା ରାଜ୍ୟ ସରକାରଙ୍କୁ । ଏପରିସ୍ଥିତିରେ ପୁଣି ଏକ ଜନନୀ ଯନ୍ତ୍ରଣା ପଦାକୁ ଆସିବା ପରେ କାଶୀପୁରର ଅର୍ଥନୈତିକ ବିକାଶର ପ୍ରକୃତ ଚିତ୍ର ପଦାରେ ପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ