ଓଡିଶା

odisha

ETV Bharat / state

କୂଳ ଖାଉଛି ‘ନାଗାବଳୀ’, ବିପଦରେ ରେବତୀଗୁଡ଼ା

ଟିକିଏ ବର୍ଷା ହେଲେ ବଢୁଛି ରେବତୀଗୁଡାବାସୀଙ୍କ ଚିନ୍ତା । ଦାଉ ସାଧୁଛି ଗାଁ ପାଖ ଦେଇ ବୋହି ଯାଉଥିବା ନାଗାବଳୀ ନଦୀ । ଏପଟେ ଦିନକୁ ଦିନ କୂଳ ଖାଇବାରେ ଲାଗିଛି ନାଗାବଳୀ ।

By

Published : Jul 1, 2019, 11:44 PM IST

Updated : Jul 2, 2019, 1:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଟିକିଏ ବର୍ଷା ହେଲେ ବଢୁଛି ରେବତୀଗୁଡାବାସୀଙ୍କ ଚିନ୍ତା । ଦାଉ ସାଧୁଛି ଗାଁ ପାଖ ଦେଇ ବୋହି ଯାଉଥିବା ନାଗାବଳୀ ନଦୀ । ଏପଟେ ଦିନକୁ ଦିନ କୂଳ ଖାଇବାରେ ଲାଗିଛି ନାଗାବଳୀ । ମାଡ଼ି ଆସୁଥିବା ଏହି ବିପଦ କେତେବେଳେ ଯେ ଗାଁକୁ ନେଇ ନାଗାବଳୀ ଗର୍ଭରେ ଲୀନ ହେବ ସେନେଇ ଆଶଙ୍କାରେ ରେବତୀଗୁଡ଼ାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କଲୋନରା ବ୍ଳକ ଅନ୍ତର୍ଗତ ରେବତୀଗୁଡ଼ା ଅଞ୍ଚଳରେ ପ୍ରତିବର୍ଷ ଦେଖିବାକୁ ମିଳୁଛି ସମାନ ଅବସ୍ଥା । ଏଠାରେ ପ୍ରାୟ 150 ପରିବାର ବସବାସ କରୁଥିବାବେଳେ ଏବେ ଗାଁଟିର ତିନୋଟି ସୀମାକୁ ଲାଗି ବୋହି ଯାଉଛି ନାଗାବଳୀ ନଦୀ । ଦିନ ଥିଲା ଗାଁଠାରୁ 300 ମିଟର ଦୂରରେ ନାଗାବଳୀ ନଦୀ ବୋହୁଥିବାବେଳେ ସମୟ ଚକ୍ରରେ ବାରମ୍ବାର ନଦୀର ଗତିପଥର ପରିବର୍ତ୍ତନ ହୋଇ ରେବତୀଗୁଡ଼ାକୁ ଘନେଇ ଆସିଛି ବିପଦ ।

ସୂଚନା ଅନୁଯାୟୀ 2000 ମସିହା ପୂର୍ବରୁ ନଦୀର ଆରପଟ କୂଳ ଖାଉଥିବାବେଳେ ବର୍ତ୍ତମାନ ମୁହଁ ବଙ୍କା ହୋଇ ଓଲଟା ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି । ଫଳରେ ନାଗାବଳୀ ନଦୀ ଓ ଗାଁ ମଧ୍ୟରେ ଦୂରତା ରହିଛି ମାତ୍ର 50 ମିଟର । ବର୍ଷର ଅନ୍ୟ ଦିନ ଅପେକ୍ଷା ବର୍ଷା ଋତୁ ଆସିଲେ ନିଦ ହଜି ଯାଉଛି ଗ୍ରାମବାସୀଙ୍କର ।

ସେପଟେ ଏନେଇ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ମନ୍ତ୍ରୀ ଏପରିକି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗୋଟିଏ ପଟେ ଦିନ ମଜୁରିଆ ଜୀବନ ବିତାଉଥିବା ଏହି ଗ୍ରାମବାସୀ ବର୍ଷା ଦିନରେ ପେଟ ପାଟଣା ପାଇଁ ଗାଁରୁ ସହରକୁ ଦୌଡନ୍ତି । ଏପରି ସ୍ଥିତିରେ ସଂଧ୍ୟା ହେଲେ ନାଗାବଳୀର ପ୍ରକୋପରେ କେତେବେଳେ ଯେ ମୁଣ୍ଡ ଗୁଞ୍ଜିଥିବା ଘରଦ୍ବାର ଚାଲିଯିବ, ସେ ଭୟରେ ଦିନ କାଟୁଛନ୍ତି ରେବତୀଗୁଡ଼ାବାସୀ ।


ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଯୋଗାଯୋଗ କରିବା ପରେ ରେବତୀଗୁଡ଼ାରେ ପଥର ପିଚିଙ୍ଗ ପାଇଁ ସରକାରଙ୍କୁ ପ୍ରସ୍ଥାବ ଦିଆଯାଇଥିବା ସେ କହିଥିଲେ । ଏହାକୁ ମଞ୍ଜୁରୀ ମିଳିଲେ ଯଥାଶୀଘ୍ର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jul 2, 2019, 1:12 PM IST

ABOUT THE AUTHOR

...view details