ଓଡିଶା

odisha

ETV Bharat / state

ନିଆରା ଡଙ୍ଗରିଆ ପରମ୍ପରା, କନିଆ ଝିକାରେ ପୁଅ ଜିତିଲେ ଝିଅ ତାର

କୁହାଯାଏ ବିବାହ ସ୍ବର୍ଗରୁ ସ୍ଥିର ହୋଇଥାଏ, ଆଉ ଏହା ସ୍ଥିର କରିଥାନ୍ତି ସ୍ବୟଂ ଭଗବାନ । କିନ୍ତୁ ଡଙ୍ଗରିଆ ସମ୍ପ୍ରଦାୟରେ ପବିତ୍ର ମହାଶିବରାତ୍ରୀ ଅବସରରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା ।

By

Published : Mar 7, 2019, 1:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡ଼ା: କୁହାଯାଏ ବିବାହ ସ୍ବର୍ଗରୁ ସ୍ଥିର ହୋଇଥାଏ, ଆଉ ଏହା ସ୍ଥିର କରିଥାନ୍ତି ସ୍ବୟଂ ଭଗବାନ । କିନ୍ତୁ ଡଙ୍ଗରିଆ ସମ୍ପ୍ରଦାୟରେ ପବିତ୍ର ମହାଶିବରାତ୍ରୀ ଅବସରରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା । ଏମିତି ବି ହୁଏ ବାହାଘର,ଯେଉଁଠି ଦେବତାଙ୍କ ସମ୍ମୁଖରେ ହିଁ ଯୁବକ ନିଜ ପସନ୍ଦର ଝିଅକୁ ନିଜ ଘରକୁ ଟାଣି ନେଇ ପରେ ପରିବାର ସହମତିରେ ବିବାହ କରିଥାଏ । ବଦଳିଛି ସମୟ, କିନ୍ତୁ ଏଯାଏଁ ବଦଳିନି ଡଙ୍ଗରିଆ ଜାତିଙ୍କର 'କନିଆ ଝିକା' ପରମ୍ପରା । ଆଉ ଏହି ପରମ୍ପରାର ମଜାଦାର କଥା ହେଲା ଏଠାରେ କନ୍ୟାପକ୍ଷ ନୁହେଁ, ବରଂ ବରପକ୍ଷ ଦେଇଥାନ୍ତି ଯୌତୁକ ...

ଏଠାରେ ଖାଲି ମନ ମିଶିଗଲେ କି ପରିବାରର ସମ୍ମତି ମିଳିଗଲେ ଚଳେନାହିଁ । ବରଂ ମନର ମଣିଷକୁ ଜୀବନସାଥୀ ରୂପେ ପାଇବା ପାଇଁ ଡଙ୍ଗରିଆ ଜାତି ପୁରୁଷଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ ପବିତ୍ର ଶିବରାତ୍ରୀକୁ । ନିକଟରେ କଲ୍ୟାଣସିଂହପୁରର ଦେବଗିରି ପାହାଡ଼ରେ ଦେଖିବାକୁ ମିଳିଛି ଏମିତି ଏକ ବିରଳ ପରମ୍ପରାର ଦୃଶ୍ୟ..

ଚାଲିଚଳଣି, ସଂସ୍କୃତି ଏବଂ ପରମ୍ପରାରେ ସବୁଥିରେ ବାରି ହୋଇ ପଡ଼ନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ । ଏହି ଆଦିମ ଜନଜାତି ସମ୍ପ୍ରଦାୟର ବିଶ୍ବାସ ଅନୁଯାୟୀ ପ୍ରେମ ଶାଶ୍ବତ ଓ ନିରନ୍ତନ । ଯୁବକ ନିଜ ମନପସନ୍ଦର ଝିଅକୁ ଟାଣିଟାଣି ନିଜ ଘରକୁ ନେବାବେଳେ ତାକୁ ସହିବାକୁ ପଡେ ସାଙ୍ଗସାଥୀମାନଙ୍କ ନିର୍ଧୁମ ମାଡ । ଆଉ ଯଦି ସେ ଏହି ମାଡକୁ ସହ୍ୟ କରିଦେଲେ ତେବେ ପସନ୍ଦର ଝିଅଟି ସାରା ଜୀବନ ପାଇଁ ତାର.. ଆଉ ତାପରେ ଯୁବକଙ୍କ ପରିବାର କନ୍ୟା ଘରକୁ ଯାଇ ତାଙ୍କ ପରିବାରକୁ ମଦ, ଚାଉଳ, ପୋଢ ଓ ଟଙ୍କା ଦେଇ ବିବାଦର ଆପୋଷ ସମାଧାନ କରାଇ ବିବାହ କରାଇଦିଅନ୍ତି ।

ନିୟମଗିରି ପାଦଦେଶରେ ଥିବା କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁର ବ୍ଲକ ଅନ୍ତର୍ଗତ ଫୁଲଡ଼ୁମେର ଗାଁର ଡ଼ଙ୍ଗରିଆ ଯୁବକ ପ୍ରମୋଦ ଶିକକା ତାଙ୍କ ଗାଁର ସାଙ୍ଗସାଥିଙ୍କୁ ଏବଂ ପରିବାର ଲୋକଙ୍କୁ ନେଇ କଲ୍ୟାଣସିଂହପୁର ବ୍ଲକ ପାରସାଲି ପଚାଂୟତ ଅନ୍ତର୍ଗତ ଗୁମ୍ମା ଗାଁର ତୁଫେଲ ପ୍ରାସ୍କା ନାମକ ଯୁବତୀଙ୍କୁ ବିବାହ କରିବା ପାଇଁ ପୋଲିସ ତଥା ସର୍ବସାଧାରଣ ଉପସ୍ଥିତିରେ ଟାଣି ନେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ପରମ୍ପରା ନାଁରେ କନିଆ ଝିକାକୁ ଡ଼ଙ୍ଗରିଆ ସମାଜ ସ୍ୱିକୃତି ଦେଇଥାଏ । ସାଧାରଣତଃ ସମାଜରେ କନ୍ୟା ପକ୍ଷ ବରପକ୍ଷଙ୍କୁ ଯୌତୁକ ଦେଉଥିବାବେଳେ ଡଙ୍ଗରିଆ ପରମ୍ପରାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଓଲଟା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details