ଓଡିଶା

odisha

ETV Bharat / state

ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ, ମୋର୍ବି ଟ୍ରାଜେଡି ପରେ ଚେତିଲା ରାୟଗଡା ପ୍ରଶାସନ - ମୋର୍ବି ଟ୍ରାଜେଡି ପରେ ଚେତିଲା ରାୟଗଡା ପ୍ରଶାସନ

ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ । ୧୧ ବର୍ଷ ତଳେ ଏହି ପୋଲର ନିର୍ମାଣ ହୋଇଥିଲା ସୁଦ୍ଧା ଆଜି ଯାଏଁ ଏହାର ମରାମତି କିମ୍ବା ଯାଞ୍ଚ ହୋଇନାହିଁ । ଅନ୍ୟପଟେ କଟକଣା ସତ୍ତ୍ବେ ଲୁହାବାଡ ଓପାଡି ପୋଲରେ ଯାତାୟତ କରୁଛନ୍ତି ପର୍ଯ୍ୟଟକ । ଏବେ ମୋର୍ବି ଟ୍ରାଜେଡି ପରେ ଝୁଲାପୋଲର ସୁରକ୍ଷା ପାଇଁ ତତ୍ପର ହୋଇଉଠିଛି ରାୟଗଡା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ, ମୋର୍ବି ଟ୍ରାଜେଡି ପରେ ଚେତିଲା ରାୟଗଡା ପ୍ରଶାସନ
ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ, ମୋର୍ବି ଟ୍ରାଜେଡି ପରେ ଚେତିଲା ରାୟଗଡା ପ୍ରଶାସନ

By

Published : Nov 1, 2022, 3:13 PM IST

ରାୟଗଡା: କଟକର ଧବଳେଶ୍ବର ପରେ ରାୟଗଡା ଅନ୍ତର୍ଗତ ଚେକାଗୁଡାରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ବିତୀୟ ବୃହତ୍ତମ । ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କାରେ ବ୍ୟୟରେ ନାଗାବଳୀ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା । ପ୍ରତି ସପ୍ତାହରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁ ମା' ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସି ଝୁଲାପୋଲ ବୁଲିବାକୁ ଯାଇଥାନ୍ତି । ହେଲେ ବଡକଥା ହେଉଛି, 11 ବର୍ଷ ତଳେ ନିର୍ମିତ ଏହି ପୋଲର ମରାମତି କିମ୍ବା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଅଦ୍ୟାବିଧି ଥରୁଟିଏ ମଧ୍ୟ ଏହାର କୌଣସି ପ୍ରକାର ଯାଞ୍ଚ ହୋଇନାହିଁ । ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ ।

ବିପଦପୂର୍ଣ୍ଣ ଅବସ୍ଥାରେ ରାୟଗଡା ଝୁଲାପୋଲ, ମୋର୍ବି ଟ୍ରାଜେଡି ପରେ ଚେତିଲା ରାୟଗଡା ପ୍ରଶାସନ

୨୦୧୧ ମସିହାରେ ୧ କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ଆଇ.ଏ.ପି ଯୋଜନାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ରାୟଗଡା ଜିଲ୍ଲା ଚେକାଗୁଡା ଠାରେ ଝୁଲାପୋଲ ନିର୍ମାଣ କରିଥିଲା । ଏହି ପୋଲ ୧୦୦ ଫୁଟ ଉପରେ ନିର୍ମିତ ଏବଂ ଏହାର ଲମ୍ବ ୧୫୧ ମିଟର ରହିଛି । ଗମନାଗମନ ପାଇଁ ନିର୍ମାଣ ହୋଇଥିବାର ଏହି ପୋଲ ପରବର୍ତ୍ତୀ ସମୟରେ ରାୟଗଡାର ପର୍ଯ୍ୟଟନ ସ୍ଥଳୀ ପାଲଟିଥିଲା । କିନ୍ତୁ ଏହି ଝୁଲାପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ କାହାର ତାହା କେହି କହିପାରୁନାହାନ୍ତି । ରାୟଗଡା ଆଇଟିଡିଏ ଏବଂ ମ୍ୟୁନିସିପାଲଟି ଉଭୟେ ଉଭୟଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ରାୟଗଡା ଆଇଟିଡିଏ ଏହାର ନିର୍ମାଣ କରିଛି ଏବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମ୍ୟୁନିସିପାଲଟି କିମ୍ବା ରାୟଗଡା ବ୍ଲକ କରିବା ନେଇ ଆଇଟିଡିଏ କତ୍ତୃପକ୍ଷ କହିଛନ୍ତି । ସେପଟେ ଆଇଟିଡିଏ ଝୁଲାପୋଲ ନିର୍ମାଣ କରିଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ତାହାର ବୋଲି କହିଛନ୍ତି ମ୍ୟୁନିସିପାଲଟି କତ୍ତୃପକ୍ଷ ।ଉଭୟେ ଉଭୟଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ନିଜ ମୁଣ୍ଡ ଉପରୁ ଦୋଷ ଛଡେଇ ହାତବାନ୍ଧି ବସିଛନ୍ତି ।

ନାଗାବଳୀ ନଦୀ ଉପରେ ନିର୍ମିତ ଏହି ଝୁଲାପୋଲ ନିକଟରେ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟିଛି । ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ୨୭ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ପର୍ଯ୍ୟଟକ ମାନେ ବୁଲିବାକୁ ଆସିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ଏହିଭଳି ଅଘଟଣ ଘଟୁଛି । ଗତ ଅଗଷ୍ଟ ୨୫ ତାରିଖରେ ଆନ୍ଧ୍ରପ୍ରଦେଶରୁ ବୁଲିବାକୁ ଆସିଥିବା ଗୋଟିଏ ପରିବାର ଏଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୋଟିଏ ୬ ବର୍ଷର ନାବାଳକ ନଦୀ ଭାସି ଯାଇ ପ୍ରାଣ ହରାଇଥିଲା । ଏହାପରେ ଗତ ସେପ୍ଟେମ୍ବର ୨୫ ତାରିଖରୁ ଏହି ପର୍ଯ୍ୟଟନ ସ୍ଥଳକୁ ସିଲ୍ କରିବା ସହ ଲୁହାବାଡ ଦେଇ ଝୁଲାପୋଲକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ ।

ମାତ୍ର ଏବେ ପୋଲର ଉଭୟ ପାର୍ଶ୍ବରେ ଚଳପ୍ରଚଳ ଚାଲୁଥିବା ଦେଖାଯାଇଛି । ଧର୍ମକୁ ଆଖି ଠାର ନ୍ୟାୟରେ ଲୁହାବାଡରେ ଫଳକ ଲାଗିଛି ସତ କିନ୍ତୁ ଗଳାବାଟ ଦେଇ ଝୁଲା ପୋଲାର ଯିବା ଆସିବା କରିବା ସହ ମଜା ନେଉଛନ୍ତି ପର୍ଯ୍ୟଟକ । ଏପରିକି ଯେଉଁ ତାରବାଡ ଘେରା ଯାଇଥିଲା ତାହା ମଧ୍ୟ ଉପାଡି ଫିଙ୍ଗି ଦିଆଯାଇଥିବା ନଜରକୁ ଆସିଛି । କହିବାକୁ ଗଲେ ପୂର୍ବ ଭଳି ଲୋକେ ଝୁଲାପୋଲ ଉପରେ ଯାତାୟାତ କରୁଛନ୍ତି । ଯାହାକି ଏକ ବଡ ଅଘଟଣ ପାଇଁ ନିମନ୍ତ୍ରଣ ଭଳି ହୋଇଛି । କାରଣ ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଅବସ୍ଥା ଭଲ ନାହିଁ ।

ଗୁଜରାଟ ଟ୍ରାଜେଡି ପରେ ଯଦିଓ ଏହି ଝୁଲା ପୋଲରେ କଟକଣା କଡାକଡି କରାଯାଇଛି, ତଥାପି ଅତି ଶୀଘ୍ର ପୋଲଟିର ପରୀକ୍ଷା ନିରୀକ୍ଷା କରି ଆବଶ୍ୟକୀୟ ମରାମତି କରାଯିବା ନେଇ ସାଧାରଣରେ ଦାବି ହୋଇଛି । ସେହିପରି ପୋଲ ଉପରେ ଏକକାଳୀନ କେତଜଣ ପର୍ଯ୍ୟଟକ ଯାଇପାରିବେ ଏବଂ ସେମାନଙ୍କ କିଭଳି ସୁରକ୍ଷାର ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ । ସେପଟେ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ କହିଛନ୍ତି, ''ଝୁଲାପୋଲର ଯାଞ୍ଚ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବୈଷୟିକ ଟିମ ସହିତ ଯୋଗାଯୋଗ କରାଯାଇଛି । ସେମାନଙ୍କ ଅନୁଧ୍ୟାନ ଏବଂ ବିସ୍ତୃତ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ବର୍ତମାନ ସ୍ଥିତିରେ ଝୁଲା ପୋଲାର ରିପୋର୍ଟ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମ୍ପୃକ୍ତ ପୋଲକୁ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ କରାଯାଇ ଥିବା କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details