ରାୟଗଡ଼ା: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ୟଗଡ଼ାର ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ଶାନ୍ତିଦେବୀ। ୬୦ ବର୍ଷ ଧରି ସମାଜ ସେବା ବ୍ରତକୁ ପାଳନ କରି ଆସୁଛନ୍ତି। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶାନ୍ତି ଦେବୀ ଏବେ ଦେଶର ସର୍ବବୃହତ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି। ସମାଜସେବା କ୍ଷେତ୍ରରେ ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ା ଜିଲ୍ଲାରେ ସୀମିତ ରହିନାହିଁ ରାଜ୍ୟ ବାହାରେ ମଧ୍ୟ ତାଙ୍କର ଜଶ ରହିଛି।
ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ପୁରଷ୍କାର ଖବର ମିଳିବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଏହି ସମ୍ମାନ ପାଇବା ପରେ ଶାନ୍ତି ଦେବୀ କହିଛନ୍ତି ଯେ, "ପଦ୍ମଶ୍ରୀ ଭଳି ସମ୍ମାନ ପାଇଥିବାରୁ ଟିକିଏ ଖୁସି ହେବା କଥା। ଖୁସିହେଲି, କିନ୍ତୁ ଏଥିପାଇଁ ବେଶି ଉତ୍ସାହିତ ନୁହଁ । ଏଭଳି ଏକ ସମ୍ମାନରେ ମୋତେ ଦେଶ ସମ୍ମାନୀତ କରି ଅନାଥ ପିଲାଙ୍କ ପ୍ରତି ଏକ ଉପହାର ଦେଇଛନ୍ତି।"
ବିବାହ ପରେ ସ୍ବାମୀଙ୍କ ସର୍ତ୍ତ ପୂରଣ ପାଇଁ ବାଲେଶ୍ବରରୁ ସେତେବେଳର ଅବିଭକ୍ତ କୋରାପୁଟ ତଥା ବର୍ତ୍ତମାନର ରାୟଗଡ଼ା ସେ ଚାଲି ଆସିଥିଲେ। ବାଲେଶ୍ବର ଭଳି ଉପକୂଳ ଇଲାକା ଛାଡି ସେତେବେଳର ଦୁର୍ଗମ ଏବଂ ପଛୁଆ ରାୟଗଡା ଭଳି ଆଦିବାସୀ ବହୁଳ ଜିଲ୍ଲାକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ। ଭୁଦାନ ଓ ସତ୍ୟାଗ୍ରହ ଆନ୍ଦୋଳନରେ ସଂଗ୍ରାମୀ ଭାବେ ସାମିଲ ହୋଇଥିବା ଶାନ୍ତି ଦେବୀ ପରବର୍ତ୍ତୀ ସମୟରେ ଆଦିବାସୀ ଅନାଥ ପିଲାମାନଙ୍କ ମାଆ ପାଲଟି ଯାଇଛନ୍ତି। ସେ ୧୩୧ ଜଣ ଅନାଥ ପିଲାଙ୍କୁ ନିଜ ପାଖରେ ରଖି ମାଆ ଭଳି ସେବା ଯତ୍ନ ନେଉଛନ୍ତି।
ଭୁଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା
ଭୂଦାନ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡଃ ରତନ ଦାଶ ଓ ତାଙ୍କ ଧର୍ମପତ୍ମୀ ଶାନ୍ତି ଦାଶ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ସୁନାମ ଧନ୍ୟ ସେବା ଦମ୍ପତି ଭାବେ ପରିଚିତ। ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନଯାଇ ସମାଜସେବା ଜାରି ରଖିଛନ୍ତି ଶାନ୍ତିଦେବୀ। ଏଥିପାଇଁ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମିଳିଛି ଅନେକ ସମ୍ମାନ। ସମ୍ମାନ ଅପେକ୍ଷା ଆଦିବାସୀ,ଗରୀବ ପିଲାଙ୍କ ମୁହଁରେ ହସ ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ କହିଛନ୍ତି।
ରାୟଗଡ଼ାର ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡା, ନୂଆପଡାରେ ଅସହାୟ ପିଲାଙ୍କୁ ସାହାରା ଦେବାକୁ ସେ ଆଶ୍ରମ ଗଢ଼ିଛନ୍ତି। ବେସାହାରା ପିଲାମାନଙ୍କୁ ଖୋଜି ଆଣି ରଖିବା ସହ ସମସ୍ତ ଳାଳନପାଳନ ଦାୟିତ୍ବ ନେଇଛନ୍ତି। ସମାଜରେ ସମ୍ମାନରେ ସହ ବଞ୍ଚିବା ପାଇିଁ ପାଠପଢା ସହ ନୀତିଶିକ୍ଷା ମଧ୍ୟ ଦିଅନ୍ତି। ଖାଲି ସେତିକି ନୁହେଁ ବହୁ ଅସହାୟ ଝିଅଙ୍କ କନ୍ୟାଦାନ କରିଛନ୍ତି ଶାନ୍ତି ଦେବୀ। ତାଙ୍କ ସଂସ୍କାରରେ ପାଇଁ ଅନେକ ପିଲା ଆଜି ବିଭିନ୍ନ କର୍ମ ସଂସ୍ଥାନରେ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି ।
ସନ୍ଥ ବିନୋବା ଭାବେଙ୍କ ଦ୍ବାରା ହୋଇଥିଲେ ପ୍ରଭାବିତ