ରାୟଗଡ଼ା: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଶ୍ରୀକ୍ଷେତ୍ର ରାୟଗଡ଼ାରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନିଠାକୁର । ସୋମବାର ସକାଳୁ ଜିଲ୍ଲାର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଦୁଆର ଫିଟା ନୀତି ପରେ ପହଡ଼ ଉଠିଥିଲା, ପରେ ମଙ୍ଗଳ ଆଳତୀ, ମୁଖବାସ, ତଡ଼ପଲାଗି ପରେ ଗୋପାଳ ବହ୍ଲଭ ନୀତି ହୋଇଥିଲା । ଏହା ପରେ ସିଂହାସନରୁ ସେବାୟତମାନେ ତିନି ବିଗ୍ରହଙ୍କୁ ସ୍ନାନ ମଣ୍ଡପକୁ ଆଣିଥିଲେ ।
ସ୍ନାନ ମଣ୍ଡପରେ ରାଜପୁରୋହିତ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ଏଥି ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଥିଲା । ସ୍ନାନ ପରେ ତିନିଠାକୁରଙ୍କୁ ଦକ୍ଷିଣାଭିମୁଖି କରି ଗଜାନନ ବେଶରେ ସଜାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ବେଶ ଖୋଲାଯାଇ ଅଣସର ଘରକୁ ଯାଇଥିଲେ ଠାକୁର ।