ରାୟଗଡ଼ା:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନିୟନ୍ତ୍ରଣକୁ ଆଣିଛି ରାୟଗଡା ପୋଲିସ । ଥାନା ପଛପାର୍ଶ୍ୱ ସାହି ଏବଂ ରୟତ କଲୋନୀ ଛକ ନିକଟସ୍ଥ ସାହିରେ ଗତ ମଙ୍ଗଳବାରଠାରୁ ୧୪୪ ଧାରା ଲାଗୁ କରାଯାଇଥିଲା । ଏନେଇ ମଙ୍ଗଳବାରଠାରୁ ଏସଡିପିଓ ଦେବଜ୍ୟୋତି ଦାସ ଓ ଆଇଆଇସି କେକେ ବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଥିଲା । ସହରର ରାମା ଟକିଜ ଛକ, ମେଜନତର ସାହି, ରାମକୃଷ୍ଣ ନଗର, ଉତ୍କଳମଣି ନଗର, ରୟତ କଲୋନୀ ଛକ, ରେଲି ସାହି, ହରିଜନ ସାହି ଆଦି ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଘରୁ ନ ବାହାରିବା ପାଇଁ ଡାକ ବାଜି ଦ୍ୱାରା ଘୋଷଣା ମଧ୍ୟ କରାଯାଇଥିଲା ।
ଯଦିଓ ଗତ ରାତି ଠାରୁ ପୁଲିସ ଏହି ସବୁ ଅଞ୍ଚଳରୁ ୧୪୪ ଧାରା ଉଠାଇ ନେଇଛି ତଥାପି ଦିନରେ ଥରେ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ଦୁଇ ସାହି ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ମୁନା ପ୍ରଧାନ ଓ କାମେଶ୍ୱର ନାଏକ ନାମକ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତ ଦୁଇ ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହୋଇଥିବାରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସାରେ ମୁନାଙ୍କ ଅବସ୍ଥା ଭଲ ରହିଥିବାବେଳେ କାମେଶ୍ୱରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡ଼ିଛି ।