ରାୟଗଡ଼ା: ଜିଲ୍ଲାର ଜୀବନରେଖା ନାଗାବଳୀ ଓ ଝଞ୍ଜାବତି ନଦୀ ଗର୍ଭରୁ ବାଲି ଉଠାଇ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ବିପୁଳ ପରିମାଣରେ ବାଲି ମେସିନ ଲଗାଇ ମନଇଛା ଖନନ କରାଯିବା ସହ ଅହରହ ହେଉଛି ଚାଲାଣ । ଟ୍ରକ ଓ ଡମ୍ପରରେ ଏହା ଚାଲାଣ କରାଯାଉଛି । ଫଳରେ ନଦୀ ଗୁଡିକ ଅସୁରକ୍ଷିତ ହୋଇ ଜନବସତି ପ୍ରତି ସୃଷ୍ଟି କରୁଛି ବିପଦ । ରାୟଗଡାରେ ଏହାର ତୀବ୍ର ପ୍ରତିବାଦ କରାଯାଇଛି ।
ଜିଲ୍ଲା ବିକାଶ ପରିଷଦ ଏବଂ ନବଭାରତ ନିର୍ମାଣ ସେବା ସମିତି ପକ୍ଷରୁ ଏହି ପ୍ରତିବାଦ କରାଯିବା ସହ ରାୟଗଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଦୁଇ ନଦୀରୁ ମେସିନରେ ବାଲି ଉଠାଣ ବନ୍ଦ କରିବା ସହ ଆନ୍ଧ୍ରପ୍ରଦେଶକୁ ଚାଲାଣ ରୋକିବା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି । ମନଇଛା ବାଲି ଉଠାଣ ଓ ଚାଲାଣ ଦ୍ବାରା ସ୍ଥାନୀୟ ଗରିବ ଲୋକ ବାଲି ପାଇପାରୁନାହାଁନ୍ତି । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର ହିତାଧିକାରୀ ସର୍ବାଧିକ ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବିକାଶ ପରିଷଦ ଆବାହକ ପ୍ରଦୀପ ଦାସ ।