ରାୟଗଡା: ଗୁଣପୁର ବ୍ଲକ ଓକିଲଗୁଡା ବେଆଇନ ପଥର ଖାଦାନ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଲା । ସେପଟେ ଘଟଣାସ୍ଥଳରେ ଯାଞ୍ଚ ପାଇଁ ଜିଲ୍ଲା ଏସପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଶୁକ୍ରବାର ଅପରାହ୍ନରେ ଶ୍ରମିକମାନେ ଖାଦାନରେ କାମ କରିବା ସମୟରେ ହଠାତ ବ୍ଲାଷ୍ଟିଙ୍ଗ ହୋଇଥିଲା । ଫଳରେ ୩ ଜଣ ପ୍ରାଣ ହରାଇଥିଲାବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଶନିବାର ବ୍ରହ୍ମପୁରରେ ନୁଙ୍ଗରତାଲ ଗାଁର ଆହତ ବୁଢ଼ା ଶବରଙ୍କ ମୃତ୍ୟୁ ହୋଇଛି । ହେଲେ ମୃତକଙ୍କ ମୃତଦେହ ବ୍ୟବଛେଦକୁ ନେଇ ପୂର୍ବାହ୍ନରେ ମେଡ଼ିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଏବଂ ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ ଡ଼ାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ଲୋକ, ଶ୍ରମିକ ନେତା ଏବଂ ଖାଦାନ ମାଲିକଙ୍କ ସହ ଆଲୋଚନା ପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି ।
ଏହା ପରେ ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି । ସେପଟେ ବେଆଇନ ପଥର ଖାଦାନରେ ବିସ୍ଫୋରଣ ମାମଲାର ତଦନ୍ତ ଆରମ୍ଭ କରିଛି ଗୁଣପୁର ପୋଲିସ । ଅନ୍ୟପଟେ ଘଟଣାସ୍ଥଳକୁ ଶନିବାର ରାୟଗଡା ଏସପି ଡ଼. ଶର୍ବଣ ବିବେକ ସାଇଣ୍ଟିଫିକ ଟିମ ସହ ଯାଇ ଅନୁଧ୍ୟାନ କରି ଫେରିଛନ୍ତି ।