ରାୟଗଡା: ମହାମାରୀ ସମୟରେ ବେଆଇନ ଚୋରା ମଦ କାରବାରକୁ ରୋକିବାକୁ ଅବକାରୀ ଧରପଗଡ଼କୁ ଜୋରଦାର କରାଯାଇଛି। ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ତ୍ବାବଧାନରେ ବ୍ୟାପକ ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ଏଥିସହ ବେଆଇନ ମଦ ବିକ୍ରି ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି।
ଅମ୍ବାଦଳା ଥାନାର ଲଟିଗୁଡା, ଶୁକ୍ରଭଟା ଗ୍ରାମରୁ ୨୮୦ ଲିଟର ମହୁଲ ପୋଚ ଓ ୩୯ଲିଟର ଦେଶୀ ରନ୍ଧା ମଦ ଜବତ ସହ ସୁଭାଷ ସିକକା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗୁଣପୁର ଥାନା ରାଜାଦଙ୍ଗା ନଗରରେ ହୋଇଥିବା ଚଢ଼ଉରେ ୨୪୦୦ ଲିଟର ମହୁଲ ପୋଚ ଓ ୧୫୦ଲିଟର ଦେଶୀ ରନ୍ଧାମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ସେହିପରି ଚନ୍ଦ୍ରୟୁଗୁଡା ଗ୍ରାମରେ ଚଢ଼ାଉ କରି ୪୦ ଲିଟର ମଦ ଓ ୩୫୦ ଲିଟର ପୋଚ ଜବତ ପରେ ନଷ୍ଟ କରାଯାଇଛି। ଆହୁରି ମଧ୍ୟ ଗୁଡାରୀର ନାଇରା ଓ ପୂଜାବିଲା ଗ୍ରାମ ନାଳରେ ଚଢ଼ାଉ କରାଯାଇ ୬୫୦ ଲିଟର ପୋଚ ଏବଂ ୩୦ ଲିଟର ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମୁନିଗୁଡା ସିଙ୍ଗାରି ଗ୍ରାମରେ ୪୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗୁଣପୁରର ଆମ୍ବେଦକର ନଗରରୁ ୧୦ ଲିଟର ମଦ ସହ କାହ୍ନୁ ଚରଣ ନାହାକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।