ରାୟଗଡା: ଅମୃତ ଭାରତ ଷ୍ଟେସନ ଯୋଜନାରେ ରାୟଗଡା ରେଳ ଷ୍ଟେସନର ଉନ୍ନତିକରଣ କାମ ଜୋରସୋରରେ ଚାଲିଛି । ଏଠାରେ ନିର୍ମାଣ ହେବ ଓଡ଼ିଶାର ସର୍ବପ୍ରଥମ ରେଳ କୋଚ ରେସ୍ତୋରାଁ । ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ଏନେଇ ପୂର୍ବତଟ ରେଲୱେ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇଛନ୍ତି । ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି ରେଳ କୋଚ ରେସ୍ତୋରାଁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲୱେର ବିଶାଖାପାଟଣା ଡିଆରଏମ ଅନୁପ କୁମାର ଶତପଥୀ ।
ଗତକାଲି ରାୟଗଡା ଗସ୍ତରେ ଆସି କୋରାପୁଟ-ରାୟଗଡା ରେଳ ଲାଇନ୍ କାମ ବୁଲି ଦେଖିଥିବା ସହ ନୂତନ ଷ୍ଟେସନ କୋଠାର ଅନୁଧ୍ୟାନ କରିଥିଲେ ପୂର୍ବତଟ ରେଲୱେ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା । ଏହାପରେ ଜିଲ୍ଲାରେ ଓଡ଼ିଶାର ସର୍ବପ୍ରଥମ ରେଳ କୋଚ ରେସ୍ତୋରାଁ ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ । ଏଥିପାଇଁ ଟେଣ୍ଡର ବି ହୋଇଯାଇଛି । ଆସନ୍ତା ଏକ ମାସ ମଧ୍ୟରେ ତାଙ୍କୁ କୋଚ ଯୋଗାଇ ଦିଆଯିବା ନେଇ ମନୋଜ ଶର୍ମା ଜଣାଇଛନ୍ତି ।
ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି ରେଳ କୋଚ ରେସ୍ତୋରାଁ କାର୍ଯ୍ୟକ୍ଷମ ହେବ । ଏହି ରେସ୍ତୋରାଁକୁ ବିଭିନ୍ନ ପାର୍ଟି କିମ୍ବା ଜନ୍ମଦିନରେ ବି ଲୋକେ ବୁକ୍ କରିପାରିବେ ବୋଲି ମତ ରଖିଛନ୍ତି ଇଷ୍ଟକୋଷ୍ଟ ରେଲୱେର ବିଶାଖାପାଟଣା ଡିଆରଏମ ଅନୁପ କୁମାର ଶତପଥୀ । ତତ୍ ସହିତ ଫୁଟ୍ ଓଭର ବ୍ରିଜର ନିର୍ମାଣ କାମର ଯାଞ୍ଚ କରିବା ସହ ନୂତନ ଭାବେ ନିର୍ମାଣ ହେଉଥିବା ପ୍ଲାଟଫର୍ମ ବୁଲି ଦେଖିଥିଲେ ଡିଆରଏମ ।