ଓଡିଶା

odisha

By

Published : Mar 28, 2022, 3:16 PM IST

Updated : Mar 28, 2022, 7:53 PM IST

ETV Bharat / state

ଗାଙ୍ଗପୁର IIC ମୃତ୍ୟୁକୁ ବିତିଲା ୩ ଦିନ, ରହସ୍ୟ ଉପରୁ କେବେ ଉଠିବ ପରଦା ?

ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା। ଆତ୍ମହତ୍ୟା ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ। ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ ।

gangapur police station iic dies of gunshot wound
ରହସ୍ୟ ଘେରରେ ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟଣା

ରାୟଗଡ଼ା: ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବା କୁମାର ଗମାଙ୍ଗ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି ମୃତ ଥାନା ଅଧିକାରୀଙ୍କ ପରିବାର ଲୋକେ । ଦେବଙ୍କ ମୃତ୍ୟୁ ନେଇ ମାଆ ଓ ପତ୍ନୀଙ୍କ ମୁହଁ ଖୋଲିବା ପରେ ଘଟଣା ଏକ ଭିନ୍ନ ମୋଡ଼ ନେଇଛି ।

ଗାଙ୍ଗପୁର IIC ମୃତ୍ୟୁକୁ ବିତିଲା ୩ ଦିନ, ରହସ୍ୟ ଉପରୁ କେବେ ଉଠିବ ପରଦା ?

ଆଇଆଇସିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କୁ ଗାର୍ଡ ଅଫ୍ ଅର୍ନରରେ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଦେବଙ୍କ ମାଆ । ଘଟଣା ଦିନ ଥାନା ପରିସରରେ ରହିଥିବା ସରକାରୀ କ୍ବାଟରରେ ଦୁଇ ଜଣ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିବା ପରେ କଣ ରହିଥିଲା ଘଟଣା ତାହାକୁ ନେଇ ବଖାଣିଛନ୍ତି ଦେବଙ୍କ ମାଆ ।

କଣ ଥିଲା ଘଟଣା ?

ଦେବଙ୍କ ମାଙ୍କ କହିବା ଅନୁଯାୟୀ ସେମାନେ ଘଟଣା ଦିନ ସମସ୍ତେ ଗୋଟିଏ ଟେବୁଲରେ ବସି ଖାଇଥିଲେ । ଏହି ସମୟରେ ମାଆ ବାଥରୁମକୁ ଯିବାପରେ ହଠାତ ତାଙ୍କୁ ଶୁଭିଥିଲା ଗୁଳିର ଶବ୍ଦ। ମାଆ ଆସି ଦେଖନ୍ତିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଘରେ ପଡି ରହିଛି । ତେଣୁ ଏହି ଘଟଣାର ସଠିକ ତଦନ୍ତ ପାଇଁ ମାଆ ଦାବି କରିଛନ୍ତି । ଅନ୍ୟପଟେ ଦେବ ମାନସିକ ଚାପରେ ରହି ଏଭଳି କରିଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଯାହାକୁ ଅସ୍ବୀକାର କରିଛନ୍ତି ପତ୍ନୀ କିରଣ ମହାନ୍ତି ।

ଉଭୟ ସ୍ଵାମୀ ଓ ସ୍ତ୍ରୀ ପୋଲିସ ବିଭାଗରେ ଚାକିରି କରନ୍ତି । ତେଣୁ ପୋଲିସ ବିଭାଗରେ ଥାଇ ସ୍ଵାମୀଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପତ୍ନୀ କିରଣ ମହାନ୍ତି । ନିର୍ବାଚନ ଶେଷ ପରେ ସେ ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କୁ ଛୁଟି ମିଳିନଥିଲା ବୋଲି କିରଣ କହିଛନ୍ତି । ନିଜର କାର୍ଯ୍ୟ ପାଇଁ ଉଭୟେ ଅଲଗା ରହୁଥିଲେ । ଯାହା ଫଳରେ ସେ ଏହି ଘଟଣା ସମ୍ପର୍କରେ ଜାଣିନଥିବା କହିଛନ୍ତି ।

ସବୁଠାରୁ ବଡ କଥା ହେଲା ପତ୍ନୀ କିରଣ, ଘଟଣାସ୍ଥଳରେ ଥିବା ମାଆ ଓ ଏସ୍ପିଙ୍କ କଥାରେ ତାଳମେଳ ରହୁନାହିଁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ କହିବା ଅନୁଯାୟୀ ଆଇଆଇସି ଦେବ କୁମାର ଗମାଙ୍ଗ ଗତ ୪ ମାସ ହେବ ଜିଲ୍ଲାରେ ଯୋଗଦାନ କରିଥିଲେ । ସେ କିଛିଦନ ହେବ ମାନସିକ ଚାପରେ ରହୁଥିଲେ । ମାତ୍ର ବହୁତ ଭଲ କାମ କରୁଥିଲେ । କିନ୍ତୁ ଅସାବଧାନତା ଭାବେ ନିଜ ସର୍ଭିସ ପିସ୍ତଲକୁ ଅଣ୍ଟାରେ ରଖିବା ବେଳେ ନିଜ ପିସ୍ତଲରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ଘଟିଛି । ତେବେ ପ୍ରଥମେ କୁହାଯାଇଥିଲା ସର୍ଭିସ ରିଭଲଭରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି । ଏହାପରେ କୁହାଯାଇଥିଲା ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଶେଷରେ ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି ସେ ମାନସିକ ଚାପରେ ଥିଲେ । ଯାହା ଘଟଣାଟି ସନ୍ଦେହ ଘେରକୁ ଟାଣି ଥିଲା ।

ଗତ ୪ ମାସ ହେବ ଜିଲ୍ଲାରେ ଯୋଗଦାନ କରିଥିବା ଆଇଆଇସି କାହିଁକି ମାନସିକ ଚାପରେ ରହୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ବ୍ୟବଚ୍ଛେଦ ରିପୋର୍ଟ ସାଙ୍ଗକୁ ଅଧିକ ତଦନ୍ତ ପରେ ଦେବ ଗମାଙ୍ଗଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିବ ବୋଲି ଆଶା କରାଯାଉଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Mar 28, 2022, 7:53 PM IST

ABOUT THE AUTHOR

...view details