ଲୁଟେରାଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ପୋଲିସ ପାଇଁ ବଡ ଚାଲେଞ୍ଜ ରାୟଗଡା: ରାୟଗଡା ସହରରେ ଏବେ ଲୁଟେରାଙ୍କ ଟାର୍ଗେଟରେ ତାଲା ପଡିଥିବା ଘର । ସିନେମା ଷ୍ଟାଇଲରେ କରାଯାଉଛି ଲୁଟ୍ । ଅଳ୍ପ କିଛି ଦିନ ବ୍ୟବଧାନରେ ଏଭଳି ସିନେମା ଷ୍ଟାଇଲ ଲୁଟ ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ରାୟଗଡା ସହରରେ ଯଦି କେହି ଘର ମାଲିକ ଘରେ ତାଲା ପକାଇ କିଛି ଦିନ ପାଇଁ ବାହାରକୁ ଯାଉଛନ୍ତି ତେବେ ଆସିଲା ବେଳକୁ ଘରେ ସର୍ବସ୍ବ ଲୁଟ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ବାରମ୍ବାର ଏଭଳି ଲୁଟ ଘଟଣା ଘଟୁଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି ।
ସୂଚନା ଅନୁଯାୟୀ, ଗତ 28 ତାରିଖ ଗୁରୁବାର ମଧ୍ୟାହ୍ନରେ ରାୟଗଡା ଜିଲ୍ଲାର ବ୍ରାହ୍ମଣ ସାହି ବାସିନ୍ଦା ସୁପ୍ରଭା ଶତପଥୀ ନିଜ ଶାଶୁଙ୍କ ଦେହ ଖରାପ ଯୋଗୁଁ ଘରେ ତାଲା ପକାଇ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ରାୟଗଡା ଫେରି ଘରେ ପହଞ୍ଚିବା ପରେ ମୁଖ୍ୟ ଗେଟର ତାଲା ଖୋଲିବାରୁ ଭିତର କବାଟର ପ୍ରଥମ ଗ୍ରୀଲ ଏବଂ କବାଟ ତାଲା ପଡିଥିବା ରିଙ୍ଗକୁ କଟା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ପଡୋଶୀମାନଙ୍କୁ ଜଣାଇବା ସହ ରାୟଗଡା ପୋଲିସକୁ ମଧ୍ୟ ଖବର ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ.. ଭବିଷ୍ୟତ କହିବା ଆଳରେ ମହିଳାଙ୍କଠୁ ଟଙ୍କା ସୁନା ଲୁଟି ଦୁର୍ବୃତ୍ତ ଛୁ'
ଘର ଭିତରେ ରହିଥିବା ଦୁଇଟି ରୁମରେ ମଧ୍ୟ ସମାନ ଭାବରେ କବାଟ ତାଲା ରିଙ୍ଗକୁ କାଟି ଦୁଇଟି ଆଲମିରାରୁ ସୁନା ରୂପା ଗହଣା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ସୁପ୍ରଭା । ତେବେ ସୁପ୍ରଭାଙ୍କ କହିବାନୁଯାୟୀ, ଆଲମାରିରେ ଥିବା ପ୍ରାୟ 16 ଭରି ସୁନା ଗହଣା ସହ ପାଖାପାଖି ୨୦ ଭରି ରୁପା ଗହଣା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସୁପ୍ରଭା ଶତପଥୀ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ SDPO ରଶ୍ମି ରଞ୍ଜନ ସେନାପତି, ଥାନା ଅଧିକାରୀ କେକେବିକେ କହଁର, ଏସଆଇ ସଞ୍ଜୟଙ୍କ ସହ ଅନୁସନ୍ଧାନୀ କୁକୁର ପହଞ୍ଚିବା ସହ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ କିଛି ଘରେ ଲାଗିଥିବା CCTV ଫୁଟେଜକୁ ଜବତ କରି ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।
ତେବେ କିଛି ଦିନ ବ୍ୟବଧାନରେ ରାୟଗଡାର ସାଇପ୍ରିୟା ନଗର, ରୋଇତ କଲୋନୀ ଅଞ୍ଚଳରେ ବାରମ୍ବାର ଏଭଳି ଲୁଟ ଘଟଣା ସାମ୍ନାକୁ ଆସିଥିବା ବେଳେ ରାୟଗଡାର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ବ୍ରାହ୍ମଣ ସାହିରେ ମଧ୍ୟ ତାଲା ଭାଙ୍ଗି ଲୁଟ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସହରବାସୀ ପୋଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ହରେଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ରାୟଗଡା