ରାୟଗଡ଼ା: ଜିଲ୍ଲା ବିଜେଡ଼ି ତରଫରୁ ଏକ ପ୍ରତିନିଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କର୍ମଶାଳାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ (Atanu Sabyasachi Nayak ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରା ସଫଳ କରିବା ପାଇଁ ଆହ୍ବାନ ଜଣାଇଥିଲେ । ଏହା ସହିତ ପଞ୍ଚାୟତ ମାନଙ୍କରେ ଦଳ ସଂଗଠିତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତିନିଧି କର୍ମଶାଳାରେ ଯୋଗଦେଇ ଦଳ ସଂଗଠିତ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ତଥା ଅକ୍ଟୋବର ୨ ତରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ବି଼ଜେଡିକୁ କିଭଳି ଆହୁରି ଦୃଢ କରାଯିବ ସେନେଇ ଏହି କର୍ମଶାଳା ବିଚାର ବିମର୍ଶ କରାଯାଇଥିଲା ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ସହିତ ପଞ୍ଚାୟତ ମାନଙ୍କରେ ଦଳ ସଂଗଠିତ କରିବାକୁ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ପ୍ରତିନିଧି କର୍ମଶାଳାରେ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଦଳର ସଂଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ବିକାଶ ମୂଳକ କାର୍ଯ୍ୟ ଚାଲିଛି ତାହା ଲୋକଙ୍କ ନିକଟରେ ପହଞ୍ଚାଇବା ସମସ୍ତ କର୍ମୀଙ୍କ ଦାୟିତ୍ଵ ବୋଲି ସାରକା କହିଥିଲେ । ଜିଲ୍ଲା ବିଜେଡ଼ି ସଭାପତି ସୁଧିର ଦାସଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ପୂର୍ବତନ ସାଂସଦ ଝିନା ହିକ୍କା, ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗା, ବିଜୁ ଛାତ୍ର ଜନତା ଦଳ ସଭାପତି ବିଷ୍ଣୁ ପଣ୍ଡା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଅନୁସୟା ମାଝୀ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।
ସେପଟେ ମିଶନ 2024 ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ଆସନ୍ତା 29ରେ ଭୁବନେଶ୍ୱର କମ୍ପେଇବେ 3 ପ୍ରମୁଖ ରାଜନୈତିକ ଦଳ । ଜନତା ମଇଦାନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ସହ ଦେବେ । ଠିକ ସେଇଦିନ ବିଜେଡିର ଛାମୁଆ ସଂଗଠନ ନେତାଙ୍କୁ ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ନେଇ ବରମୁଣ୍ଡା ପଡ଼ିଆରୁ ମାର୍ଗଦର୍ଶନ ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏପଟେ ଓଡ଼ିଶାରେ ଭାରତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେହିଦିନ PCC ସଭାପତି ଶରତ ପଟ୍ଟନାୟକ ଖୋର୍ଦ୍ଧାରେ କରିବେ ବୈଠକ ।
ଇଟିଭି ଭାରତ, ରାୟଗଡ଼ା