ରାୟଗଡା: ଗୁଡାରୀ ବଂଶଧାରା ନଦୀ ପୋଲ ନିକଟରେ ମାଓ ପୋଷ୍ଟର । ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ନାମ ଏହି ପୋଷ୍ଟର ଲାଗିଛି । ସେପଟେ ପୋଷ୍ଟର ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବଂଶଧାରା ନଦୀପୋଲ ନିକଟରେ ବଂଶଧାରା-ଘୁମସରା-ନାଗାବଳ ମାଓବାଦୀ ଡିଭିଜନ ନାମରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ମାଧ୍ୟମରେ ଗୁଡାରୀ, ପେଣ୍ଡିଲି, ଢେପାଗୁଡା, ମଧୁବନ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ମାଓବାଦୀ ।
ଗୁଡାରୀ ଅଞ୍ଚଳର ବିଜେଡି, ବିଜେପି, କଂଗ୍ରେସର ବରିଷ୍ଠ ନେତା ସମେତ ୨୭ଜଣ ନାମ ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ବ୍ୟକ୍ତିମାନେ ୨୦ ତାରିଖ ସୁଦ୍ଧା ମାଓ ଡିଭିଜନ କମିଟି ନିକଟରେ ହାଜର ହେବାକୁ ଚେତାବନୀ ଦେଇଛନ୍ତି । ନଚେତ ପ୍ରଜାକୋର୍ଟରେ ଏହାର ବିଚାର ହେବ ବୋଲି ଉଲ୍ଲେଖ ରହିଛି । ଗତ କିଛି ବର୍ଷ ହେଲା ଏହି ଅଞ୍ଚଳରେ ମାଓବାଦୀମାନଙ୍କ ଗତିପଥ ବନ୍ଦ ରହିଥିବାବେଳେ ଅଚାନକ ଏଭଳି ପୋଷ୍ଟର ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।