ଭୁବନେଶ୍ୱର: ବିଭିନ୍ନ ପ୍ରକାର ଆମ୍ବକୁ ଗୋଟିଏ ଜାଗାରେ ରାଜଧାନୀର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଆମ୍ବମେଳା। ଓରମାସ ପକ୍ଷରୁ ସ୍ଥାନୀୟ ଏସ ଆଇ ଆର ଡି କ୍ୟାମ୍ପସ ୟୁନିଟ 8 ପରିସରରେ ଆୟୋଜିତ ହୋଇଛି ଏହି ପ୍ରଦର୍ଶନୀ । ରାଜ୍ୟର 8ଟି ଜିଲ୍ଲା ଅନୁଗୁଳ, କୋରାପୁଟ, ସମ୍ବଲପୁର, ବଲାଙ୍ଗୀର ଆଦିରୁ ଆମ୍ବ ଚାଷୀ ଯୋଗ ଦେଇଛନ୍ତି।
ଯେଉଁଠି ସେମାନଙ୍କ ଦ୍ରବ୍ୟର ଉଚିତ ମୂଲ୍ୟ ସହିତ ବଜାର ସୁବିଧା ଯୋଗାଇ ଦିଅ ଯାଉଥିବା କହିଛନ୍ତି ଓରମାସ ର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ। ଏହି ମେଳା 5 ଦିନ ଧରି ଚାଲିବ । ଶନିବାର ଦିନ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ଅବସରରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି କି ଚଳିତବର୍ଷ ଏହି ମେଳାରେ 20 ମେଟ୍ରିକ ଟନ ଆମ୍ବ ବିକ୍ରୟ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି।
ତେବେ ସକାଳ 8ଟା 30 ରୁ 11ଟା 30 ଏବଂ 4ଟା ରୁ ରାତି 9ଟା ପର୍ଯ୍ୟନ୍ତ ଆମ୍ବ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ଆମ୍ବ ଗୁଡିକ ବଜାର ଦର ଠାରୁ ଶସ୍ତା ରହୁଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଓରମାସ ଓ ଜିଲ୍ଲାପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆମ୍ବ ମେଳା ଆୟୋଜିତ ହୋଇଯାଇଛି । ଏହି ଆମ୍ବ ମେଳାରେ ବିଭନ୍ନ କିସମର 15 ପ୍ରକାରର ଆମ୍ବ ବିକ୍ରି କରାଯାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ବଯଂ ସହାୟକା ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେଳାକୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି । ଏହି ମେଳା ଆଜି(ଶନିବାର) ଠାରୁ ଆରମ୍ଭ ହୋଇ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଭିଡିଓ ସୌଜନ୍ଯ:ପ୍ରତିନିଧି,ସମ୍ବାଦଦାତା,ଭୁବନେଶ୍ୱର/ଗଜପତି/ରାୟଗଡା
ଏପଟେ ରାୟଗଡା ଜିଲ୍ଲାରେ ଉତ୍ପାଦିତ ହେଉଥିବା ଆମ୍ବ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀସ୍ଥିତ ମଦର ଡାଏରୀକୁ ଆମ୍ବ ରପ୍ତାନୀ କରିବା ଆରମ୍ଭ କରିଛି । ଜିଲ୍ଲାର କାଶୀପୁର , ବିଷମକଟକ, କଲ୍ୟାଣସିଂପୁର ,ମୁନିଗୁଡା ଓ ରାମନାଗୁଡା ବ୍ଳକରେ ବାର୍ଷିକ 12630 ହେକ୍ଟର ଚାଷ ଜମିରେ 61ହଜାର 726 ମେଟ୍ରିକ ଟନ୍ ଆମ୍ବ ଉତ୍ପାଦନ ହେଉଛି । ପ୍ରଥମ ପର୍ଯ୍ୟାୟରେ ସମତା ଏକ୍ସପ୍ରେସ୍ ଯୋଗେ ପାଖାପାଖି 2 ଟନ୍ 60 କିଲୋ ଆମ୍ବକୁ ଦିଲ୍ଲୀର ମଦର ଡାଏରୀକୁ ପଠାଯାଇଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଗଜପତିରୁ ହରିହର ପଟ୍ଟନାୟକ, ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ