ରାୟଗଡା: ଧାନ ଓଡ଼ିଶାର ପ୍ରଧାନ ଚାଷ । ଏହା ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ । ରାଜ୍ୟରେ ଅଧିକାଂଶ ଚାଷୀ ଧାନ ଚାଷ କରି ପେଟ ପୋଷିଥାଆନ୍ତି । ହେଲେ ଏବେ ଅନେକ ଜିଲ୍ଲାରେ ଧାନ ଚାଷ କମିବାକୁ ଲାଗିଲାଣି । ହାଇବ୍ରିଡ୍ ବିହନ ପ୍ରୟୋଗରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଦେଶୀ ଧାନର ସଂରକ୍ଷଣ କରିପାରୁନାହିଁ ପାରମ୍ପରିକ କୃଷି ବିକାଶ ଯୋଜନା । ଫଳରେ ଅବିଭକ୍ତ ଜିଲ୍ଲାମାନଙ୍କରୁ 12 ହଜାର ପ୍ରଜାତିର ଦେଶୀ ଧାନ ବିହନ ହଜିବାକୁ ବସିଲାଣି । ଫଳରେ ପାରମ୍ପରିକ ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।
ହଜିଲାଣି 12ହଜାର ପ୍ରଜାତିର ଦେଶୀ ଧାନ ବିହନ:ରାଜ ରାଜୁଡ଼ା ଶାସନ କାଳରେ ଦେଶୀ ଧାନ ବିହନର ବେଶ ଚାହିଦା ରହିଥିଲା । ହେଲେ ଧୀରେଧୀରେ ରାଜ ରାଜୁଡ଼ା ଶାସନ ଲୋପ ପାଇବା ସାଙ୍ଗକୁ ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହୋଇଯାଇଛି । ସେତେବେଳର ଜୟପୁର ରାଜତନ୍ତ୍ର ଶାସନ ଅର୍ଥାତ ବର୍ତ୍ତମାନର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ 1970 ମସିହାରେ ପ୍ରାୟ 12 ହଜାର ଦେଶୀ ଧାନ ବିହନର ବ୍ୟବହାର କରୁଥିଲେ । 1999 ମସିହାରେ ଲିଭିଂ ଫାଉଣ୍ଡେସନ ନାମକ ଏକ କୃଷି ଭିତ୍ତିକ ସ୍ବେଛାସେବୀ ସଂଗଠନ କୋରାପୁଟ ଜିଲ୍ଲାର 5ଟି ଗାଁରେ ଦେଶୀ ଧାନ ବିହନରକୁ ନେଇ ଅନୁଧ୍ୟାନ କରିବା ସମୟରେ 70 କିସମର ଦେଶୀ ଧାନ ବିହନ ଚିହ୍ନଟ କରାଯାଇଥିଲା । ପରବର୍ତ୍ତୀ ସମୟରେ 2013 ମସିହାରେ ପୁଣି ଥରେ ସେ ଅଞ୍ଚଳରେ ଦେଶୀ ଧାନ ବିହନକୁ ନେଇ ଦୁତୀୟ ଥର ଅନୁଧ୍ୟାନ କରିବା ସମୟରେ 40 କିସମର ଦେଶୀ ଧାନ ବିହନ ଥିବା ଜଣା ପଡ଼ିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ 2013 ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 12 ହଜାର ଦେଶୀ ଧାନ ବିହନ ବଦଳରେ 2000 କିସମର ଦେଶୀ ଧାନ ବିହନ ଥିବା ଜଣାପଡ଼ିଛି । ଫଳରେ ପାରମ୍ପରିକ ଚାଷ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଚାଷୀ ।
ଏହାକୁ ନେଇ ଜଣେ ଚାଷୀ କହିଛନ୍ତି, "ସରକାର ସବୁ କଥା କହୁଛନ୍ତି, କିନ୍ତୁ ଚାଷ ଧୀରେଧୀରେ କମିଲାଣି। କିନ୍ତୁ ସରକାର ଯେଉଁ ହାଇବ୍ରିଡ୍ ଧାନ ଦେଉଛନ୍ତି ଏଥିପାଇଁ ଦେଶୀ ଧାନ ପ୍ରଜାତି ହଜିବାରେ ଲାଗିଲାଣି ।"
ଏହା ସହ ଅବିଭକ୍ତ ଜିଲ୍ଲା ଯେପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଭୌଗଳିକ ସ୍ଥିତି, ପାଣିପାଗ, ମାଟିର ଆର୍ଦ୍ରତା ସହ ଜଳସେଚନକୁ ଦୃଷ୍ଟିରେ ରାଖୀ ନିଜ ସାଇତି ଥିବା ପାରମ୍ପରିକ ଦେଶୀ ଧାନ ବିହନ ବ୍ୟବହାର କରୁଥିଲା । କିନ୍ତୁ ସମୟାନୁସାରେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଅଧିକ ଆର୍ଥିକ ଲାଭ ପାଇବା ଆଶାରେ ସରକାରୀ ବିହନ ଉପରେ ନିର୍ଭର କରୁଛନ୍ତି ଚାଷୀ । ଯାହା ଫଳରେ ପାଣିପାଗର ଅସ୍ଥିରତା ସାଙ୍ଗକୁ ଅନେକ ସମୟରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବା ଚାଷୀ କେବଳ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରୁଛନ୍ତି । କେବେ କେବେ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଥାଏ ।