ଭୁବନେଶ୍ବର/ ରାୟଗଡ଼ା: MLA କ୍ବାଟରରେ ପତ୍ନୀଙ୍କୁ ଜାଳି ହତ୍ୟା ମାମଲା । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ସଜ୍ଜା । ୫୦ ହଜାର ଟଙ୍କା ଜରିମାନା ପୈଠ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହିତ ଜରିମାନା ଅନାଦେୟ ଆହୁରି ୧ ବର୍ଷ ଅତିରିକ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ । ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ପ୍ରକାଶ ଥାଉ କି, ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଗଣେଶ ଚତୁର୍ଥୀ ଦିନ ରାୟଗଡ଼ା ଜିଲ୍ଲା ଗୁଣୁପୁରର ତତ୍କାଳୀନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଗମାଙ୍ଗଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଭୁବନେଶ୍ବର ଖାରବେଳନଗରସ୍ଥିତ ଏମ୍ଏଲ୍ଏ କଲୋନୀରେ ରାମମୂର୍ତ୍ତିଙ୍କ ସରକାରୀ ବାସଭବନ DS18/1ରୁ ଶଶୀରେଖାଙ୍କର ଜଳିଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ରାମମୂର୍ତ୍ତି ତାଙ୍କ ପତ୍ନୀ ବାଥରୁମ୍ ଭିତରେ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ସେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । କାରଣ ଗାଧୁଆ ଘରେ ମୃତଦେହ ପଡ଼ିଥିବା ବେଳେ ପାଖରେ କିରାସିନ ଡବା ଓ ଡିଆସିଲ କାଠି ବା କୌଣସି ଛାଟିପିଟି ହେବାର ସୁରାକ୍ ମିଳିନଥିଲା । ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ତାଙ୍କୁ ହତ୍ୟା ପରେ କିରାସିନ ଢାଳି ଜାଳି ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ