ରାୟଗଡା:ଧରାପୃଷ୍ଠରେ ଜଗତଜନନୀଙ୍କୁ ସ୍ଵାଗତ କରିବା ପାଇଁ କାଶତଣ୍ଡୀ ବିଛାଇଛି ଶ୍ଵେତ ଚାଦର । ପ୍ରକୃତିର ଏକ ଅନବଦ୍ୟ ଉପହାର କାଶତଣ୍ଡୀ । ବର୍ଷା ଋତୁର ଶୁଭ ବିଦାୟ ପରେ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ । କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ରାସ୍ତା କଡ ହେଉ କି ଗାଁ ଗହିର ଚାଷ କ୍ଷେତ ଅବା ନଇପଠା ସବୁଠି କାଶତଣ୍ଡୀର ବିଜୟ ବୈଜୟନ୍ତୀ ।
କବି ପ୍ରାଣରେ ଏହାର ସୌନ୍ଦର୍ଯ୍ୟ ଭରିଦିଏ ନବ ଉନ୍ମାଦନା । ପ୍ରେମୀ ଯୁଗଳଙ୍କ ମନରେ ସଂଚାରି ଯାଏ କାମନାର ଅଗ୍ନି ସ୍ଫୁଲିଙ୍ଗ । ଏହାର ସୌନ୍ଦର୍ଯ୍ୟର ଆଭାରେ କ୍ଷଣକ ପାଇଁ ଦର୍ଶକ ଭୁଲିଯାଏ ସମସ୍ତ ପାର୍ଥିବ ଜାତନାକୁ । ପ୍ରେମିକ ପ୍ରବର ଶରତକୁ ଆନମନା କରିବା ପାଇଁ ପ୍ରେମିକା କାଶତଣ୍ଡୀ ସତେ ଯେମିତି ସଜେଇ ହୋଇ ପବନର ତାଳେ ତାଳେ ନୃତ୍ୟର ଛନ୍ଦ ତୋଳୁଥାଏ । ପବନଟା ଲୁଚିଲୁଚି ତା କମରରେ ହାତ ମାରି ତାକୁ ହସେଇ ଚାଲିଥାଏ । ତା ଦୁଷ୍ଟାମୀରେ ସେ ଯେମିତି ଲାଜେଇ ଯାଇ ତା' ର ଇଜ୍ଜତକୁ ଢାଙ୍କିବାକୁ ଚେଷ୍ଟା କରେ । ଏ ଫୁଲ ପ୍ରକୃତରେ ପ୍ରେମର ସନ୍ତକଟିଏ । ବାସ ହୀନ ଏ ଫୁଲକୁ ନେଇ ପ୍ରେମିକ ଟିଏ ପ୍ରେମିକାର ଗାଲରେ ଆଙ୍କିଦିଏ ଏକ ମୃଦୁ ପରଶ ଯେଉଁଥିରେ ପ୍ରେମିକାର ମାନଭଂଜନ ହୁଏ । କେହି କେହି କହନ୍ତି କାଶତଣ୍ଡୀ ରାଧା ହେଲେ ଶରତ କୃଷ୍ଣ । ଉଭୟଙ୍କ ଶାଶ୍ୱତ ପ୍ରେମର ପଟାନ୍ତର ନାହିଁ । ତେଣୁ ପ୍ରକୃତିର ଏ ଦୃଶ୍ୟ ପ୍ରେମିକ ପ୍ରେମିକାଙ୍କ ପାଇଁ ଆଣେ ଏକ ନିଆରା ଅନୁଭୂତି ।