ଓଡିଶା

odisha

ETV Bharat / state

ସଉରା ଜନଜାତିଙ୍କୁ ଜାଣିବ ସାରା ବିଶ୍ବ, ନିଜ ମାତୃଭାଷାର ଡିଜିଟାଇଜେସନ୍ କଲେ IIT ଛାତ୍ରୀ

କର୍ମଭୂମିରେ ଥାଇ ମଧ୍ୟ ମନ ତାଙ୍କ ଜନ୍ମମାଟିରେ। ଭାଷା ପ୍ରୀତି ତାଙ୍କୁ ବିଦେଶ ମାଟିର ମୋଟା ଟଙ୍କା ବାନ୍ଧି ପାରି ନାହିଁ। ଯେଉଁଥି ପାଇଁ ସୁଦୂର ଜର୍ମାନରୁ ଚାକିରୀ ଛାଡି ଭାଷାକୁ ବଞ୍ଚେଇବା ପାଇଁ ଜନ୍ମମାଟି ମୁହାଁ ଓଡିଆ ଝିଅ। ନିଜ ଜାତି ଓ ମାଟିର ଆହ୍ବାନକୁ ଆଦରି ନେବା ପାଇଁ ସେ ଖୁସିରେ ଦେଇଛନ୍ତି ବିରାଟ ଜଳାଞ୍ଜଳୀ । ଆଦିମ ଜନଜାତୀଙ୍କ ସଉରା ଲିପିର ଡିଜିଟାଇଜେସନ୍ କରିଛନ୍ତି ରାୟଗଡ଼ାର IIT ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀ।

By

Published : Oct 5, 2020, 7:28 PM IST

ସଉରା ଜନଜାତିଙ୍କୁ ଜାଣିବ ସାରା ବିଶ୍ବ, ନିଜ ମାତୃଭାଷାର ଡିଜିଟାଇଜେସନ୍ କଲେ IIT ଛାତ୍ରୀ
ସଉରା ଜନଜାତିଙ୍କୁ ଜାଣିବ ସାରା ବିଶ୍ବ, ନିଜ ମାତୃଭାଷାର ଡିଜିଟାଇଜେସନ୍ କଲେ IIT ଛାତ୍ରୀ

ରାୟଗଡା: ନିଜ ଜାତି ଓ ମାଟିର ଆହ୍ବାନକୁ ଆଦରି ନେବାସହ ଭାଷା ବଞ୍ଚି ରହିବା ପାଇଁ ଚାକିରୀ ଛାଡି ଆଗେଇ ଆସିଛନ୍ତି ଜଣେ IIT ଛାତ୍ରୀ । ଆଦିମ ଜନଜାତୀଙ୍କ ସଉରା ଲିପିର ଡିଜିଟାଇଜେସନ୍ କରିଛନ୍ତି ରାୟଗଡ଼ାର ଆଇଆଇଟି ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀ। ଦୀର୍ଘ ବର୍ଷ ଧରି ସଉରା ଲିପି ଉପରେ ଗବେଷଣା କରିବା ପରେ ଲିପିର ମୁଦ୍ରାଙ୍କନ କରିବାରେ ସକ୍ଷମ ହୋଇଛନ୍ତି। ଯାହା ଏହି ବିରଳ ଜନଜାତିର ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର କରିବା ସହ ସଉରା ସଂପ୍ରଦାୟର ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିପାରିବ।

ସଉରା ଜନଜାତିଙ୍କୁ ଜାଣିବ ସାରା ବିଶ୍ବ, ନିଜ ମାତୃଭାଷାର ଡିଜିଟାଇଜେସନ୍ କଲେ IIT ଛାତ୍ରୀ

୨୦୧୪ରେ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ ସଂପର୍କିତ ପାଠ ପଢ଼ିବାକୁ ସୋନି ବମ୍ବେ ଆଇଆଇଟିରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଟାଇପୋଗ୍ରାଫି (ମୁଦ୍ରାଙ୍କନ) ଉପରେ ନିଜର ପ୍ରୋଜେକ୍ଟ କରିଥିଲେ । ସୋନି ବମ୍ବେ ଆଇଆଇଟିର ପ୍ରଫେସର ଗିରିଶ ଡାଲଭିଙ୍କ ସହାୟତାରେ ସଉରା ଲିପିର ଡିଜିଟାଇଜେସ୍ କରିଛନ୍ତି। ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ବ୍ୟବହାର ହୋଇପାରିବ ବୋଲି ଜଣାପଡିଛି।

ରାୟଗଡ଼ାରେ ଜନ୍ମିତ ସୋନି ସଉରା ଭାଷାର ପ୍ରଚାର, ପ୍ରସାର ସହିତ ଏହି ପିଢ଼ିକୁ ଶିକ୍ଷିତ କରିବା ପାଇଁ ସଉରା ଲିପିର କମ୍ପ୍ୟୁଟରକୃତ ଅକ୍ଷରମାଳା ତିଆରି କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ସଉରା ସଂପ୍ରଦାୟର ସହାୟତାରେ ପ୍ରଥମେ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ପ୍ରସ୍ତୁତ କରିଥିବା ଅକ୍ଷର ମାଳାକୁ ନେଇ ନୀରିକ୍ଷଣ କରିବା ପରେ ଆଧୁନିକ ପ୍ରଣାଳୀରେ ତିଆରି ହୋଇଥିବା ବର୍ଣ୍ଣମାଳାରେ ୧୮ଟି ବ୍ୟଞ୍ଜନବର୍ଣ୍ଣ, ୭ଟି ସ୍ବରବର୍ଣ୍ଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଛି।

ଏପରିକି ଏଥି ପାଇଁ ସେ ଜର୍ମାନୀରୁ ଚାକିରୀ ଛାଡି ପଳାଇ ଆସିଛନ୍ତି। ଚାକିରୀରେ ଅଧିକ ଟଙ୍କା ମିଳୁଛି, କିନ୍ତୁ ନିଜ ମାଟି ପାଇଁ କରିବାର କିଛି ସୁଯୋଗ ମିଳୁନାହିଁ। ଯାହା ତାଙ୍କୁ ଭଲ ଲାଗିନଥିଲା। ଫଳରେ ଜର୍ମାନୀ ଛାଡ଼ି ଆସି ସେ ଏବେ ସଉରାଙ୍କ ବର୍ଣ୍ଣମାଳା ତିଆରିରେ ନିଜକୁ ନିୟୋଜିତ କରିଛନ୍ତି।

ସୋନି କହିଛନ୍ତି, ଡିଜିଟାଇଜେସନ୍ ସହ ଅନଲାଇନରେ ଭାଷା ଉପଲବ୍ଧ ନ ହେଲେ କମ ଦିନରେ ସଉରା ଭାଷା ଲୋପ ପାଇଯିବ। ପୂର୍ବରୁ ଏମିତି ଅନେକ ଭାଷା ପ୍ରଚାର, ପ୍ରସାର ଅଭାବରୁ ଲୋପ ପାଇଯିବାର ନଜିର ରହିଛି। ଏବେ ସଉରା ଲିପିର ୨୫ଟି ବର୍ଣ୍ଣ, ୧୦ଟି ସଂଖ୍ୟାର ଡିଜିଟାଇଜେସନ୍ ହୋଇଛି। କେବଳ କୋଡିଂ ବାକି ଅଛି। ପ୍ରତି ଅକ୍ଷର ଭିତରେ ବ୍ୟବଧାନ, ବଡ ଅକ୍ଷର, ଛୋଟ ଅକ୍ଷର, ବୋଲଡ୍ ଅକ୍ଷର ଓ ମାତ୍ରା ବନାଇବାକୁ ବହୁ ଗବେଷଣା କରିବାକୁ ପଡିଛି । ଓଡ଼ିଶାରେ ବାସ କରୁଥିବା ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ମଧ୍ୟରୁ କେବଳ ୫ଟି ସଂପ୍ରଦାୟର କଥିତ ଭାଷାର ଲିପି ରହିଛି । ଏବେ ସଉରା ଭାଷାର ଡିଜିଟାଇଜେସନ୍ ହେବା ପରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବାସ କରୁଥିବା ୩୦ ହଜାରରୁ ଉର୍ଧ୍ବ ସଉରା ସଂପ୍ରଦାୟ ଏହା ଦ୍ବାରା ଉପକୃତ ହେବେ।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ଶିକ୍ଷା ନୀତି-୨୦୨୦ରେ ମାତୃ ଭାଷା ଶିକ୍ଷାକୁ ଗୁରୁତ୍ବ ଦିଆଯାଇଥିବାରୁ ଏହା ରାଜ୍ୟ ସରକାର ଓ ସଉରା ସଂପ୍ରଦାୟ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ସୌର ଭାଷା ଗବେଷକ। ସୌରା ଭାଷା ପାଇଁ ନିଜ ଝିଅର କାମକୁ ନେଇ ବେଶ ଖୁସି ଅଛନ୍ତି ବାପା ତଥା ସମାଜସେବୀ ବାଦଲ ତା। ତେବେ ଏତେ ନିଖୁଣ ଭାବେ ଗୋଟିଏ ଭାଷାକୁ ବଞ୍ଚାଇ ରଖିବାର ଉଦ୍ୟମ କାଇଥିବାରୁ ବହୁତ ଗର୍ବ ଅନୁଭବ କରୁଥିବା ସେ କହିଛନ୍ତି।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ABOUT THE AUTHOR

...view details