ଓଡିଶା

odisha

ETV Bharat / state

ଦୁର୍ଗମ ଘାଟି ଚଢି ଲୋକଙ୍କ ସେବାରେ ଗୁଣପୁର ବିଧାୟକ - ଗୁଣପୁର ବିଧାୟକ

ଲୋକଙ୍କ ସେବାର ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଏହି ନେତା । ହେଲେ ନିର୍ବାଚନ ଜିତିବା ପରେ ଅନ୍ୟଙ୍କ ପରି ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି ଏହି ବିଧାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 8, 2019, 6:29 AM IST

ରାୟଗଡା: ଲୋକଙ୍କ ସେବାର ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଏହି ନେତା । ହେଲେ ନିର୍ବାଚନ ଜିତିବା ପରେ ଅନ୍ୟଙ୍କ ପରି ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି ଏହି ବିଧାୟକ । ଯେଉଁ ମାଟିକୁ ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ନେତା କିମ୍ବା ପ୍ରଶାସକ ଛୁଇଁ ନଥିଲେ ସେହି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ।

କଥାଟି ଟିକେ ଅଲଗା ଲାଗୁଥିଲେ ମଧ୍ୟ ସତ । ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ ଝିପି ଝିପି ବର୍ଷା । ଏସବୁ ସମସ୍ୟାରେ ଘେରା ରାସ୍ତା ଦେଇ 5 କିଲୋମିଟର ଚାଲି ଚାଲି ରାମନାଗୁଡା ବ୍ଲକ ପାରଖିତି ପଞ୍ଚାୟତର କଣ୍ଡାବାରିଡି ଗାଁରେ ପହଞ୍ଚିଛନ୍ତି ଗୁଣପୁର ବିଧାୟକ । ଅଞ୍ଚଳଟି ସହରଠାରୁ ପାଖରେ ଥିଲେ ମଧ୍ୟ ବିକାଶଠାରୁ ଅନେକ ଦୂରରେ କହିଲେ କିଛି ଭୁଲ ହେବ ନାହିଁ । ଏପରି ଏକ ଦୁର୍ଗମ ଅଞ୍ଚଳକୁ ଯାଇ ରବିବାର ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ରଘୁନାଥ ଗମାଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ବଦଳିପାରିନି ଏହି ଅଞ୍ଚଳର ଚିତ୍ର । କଣ୍ଡାବାରଡ଼ି ଭଳି ଅନେକ ଗାଁ ବୟାନ କରୁଛି ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ପାନୟ ଜଳ ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ଥିବା କଥା । ଘାଟି ରାସ୍ତା ତା’ ସାଙ୍ଗକୁ ଅଣଓସାରିଆ ଏହି ରାସ୍ତାରେ ଚାରି ଚକିଆ ତ ଦୂରର କଥା ଦୁଇ ଚକିଆଟିଏ ମଧ୍ୟ ଯିବା ମୁସକିଲ । ଆଉ ଟିକିଏ ବର୍ଷା ହେଲେ କଥା ସରିଲା । ତଥାପି ତେଲ ଲୁଣ ଦୁନିଆରେ ବଞ୍ଚିବା ପାଇଁ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ।

କେବଳ ରାସ୍ତା ନୁହେଁ ଗତ ବାତ୍ୟାରେ ଉଡ଼ିଯାଇଥିବା ସ୍କୁଲ ଘର ବୟାନ କରୁଛି ଅଞ୍ଚଳରେ ବିକାଶର କଥା । ଦୁଇ ବର୍ଷ ତଳୁ ସ୍କୁଲର ଛାତ ଉଡ଼ିଲାଣି ହେଲେ ମରାମତି ହୋଇ ପାରୁନି । ତେଣେ ପିଇବା ପାଣି କଥା ଅକଥନୀୟ । ଏମିତି ସମସ୍ୟାରେ ବର୍ଷ ବର୍ଷ ଧରି ଲୋକେ ବଞ୍ଚୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଇନି । ଅନ୍ୟପଟେ ଗାଁରେ ଥିବା ନଳକୂପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ । ଫଳରେ ଲୋକଙ୍କ ଭରସା ସାଜିଛି ଗାଁ ନିକଟରେ ଥିବା ଚୁଆ ପାଣି ।

ଏତେ ସବୁ ସମସ୍ୟାର ଖବର ପାଇ ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ ରଘୁନାଥ । ତେବେ ଗାଁକୁ ପ୍ରଥମେ ରାସ୍ତା ହେଲେ ପରେ ଅନ୍ୟ ସମସ୍ତ ସମସ୍ୟାର ଆପେ ଆପେ ସମାଧାନ ହୋଇଯିବ ବୋଲି କହିଛନ୍ତି ରଘୁନାଥ । ତେଣୁ ଅତିଶୀଘ୍ର ରାସ୍ତା ପାଇଁ ସେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details