ରାୟଗଡା: ଜିଲ୍ଲାରେ ଛାଡିଛି ବର୍ଷା । ହେଲେ ଛାଡିନି ଦୁର୍ଦ୍ଦଶା । ଏବେ ମଧ୍ୟ ଜିଲ୍ଲାର ଯୋଗାଯୋଗ ବିଛିନ୍ନ ରହିଛି । ବନ୍ୟା ଆଶ୍ରୟସ୍ଥଳୀରେ ଲାଗିଛି ଭିଡ । ଭରା ନଈରେ ବନ୍ୟା ପାଣି ଦେଖି ନିଦ ହଜି ଯାଉଛି ନଈ କୂଳିଆ ଲୋକଙ୍କର । ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲାର ଜଳ ପ୍ରଳୟ ଦ୍ବାରା ପ୍ରଭାବିତ ଅଞ୍ଚଳର । ଯେଉଁଠାରେ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ ।
ବର୍ଷା ବଢ଼ିଲେ ନାଗାବଳୀ ଏବଂ ବଂଶଧାରା ନଦୀର ତଳୀ ଅଞ୍ଚଳରେ ଲୋକଙ୍କ ଛାତିରେ ପସୁଛି ଛନକା । ଏପଟେ ଜଳ ପ୍ରଳଯରେ ଜିଲ୍ଲାର ଗୁଣପୁର, ଗୁଡାରି, ମୁନିଗୁଡା ଏବଂ କାଶିପୁର ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଛି । ତେଣେ ବୁଧବାର ଜିଲ୍ଲାରେ ବୋହି ଯାଉଥିବା ନାଗାବଳୀ ଏବଂ ବଂଶଧାରା ନଦୀର ଜଳପତନ କ୍ରମଶଃ ବଢି ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରେ ଲାଗିଛି ।
ଗୁରୁବାର ଜଳପତନ ସାମାନ୍ୟ ଖସି ବିପଦ ସଙ୍କେତରୁ ତଳକୁ ପହଞ୍ଚିଛି । ଏପରି ସ୍ଥିତିରେ ବୁଧବାରଠାରୁ 3128ଜଣକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେପଟେ ଗୁଡାରି ସହରର ତଳି ଅଞ୍ଚଳରୁ ପାଣି ନିଷ୍କାସନ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।