ରାୟଗଡା:ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ହେଲେ ଏଥିରୁ ଆଶ୍ବସ୍ତି ପାଇଛି ରାୟଗଡା ଜିଲ୍ଲା । ଜିଲ୍ଲାରେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରୁ ଆଜି ନିସ୍ତାର ମିଳିଛି । ଗୁଣୁପୁରଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ତଳକୁ ଖସିଛି । ଏଥିଯୋଗୁଁ ଆଶ୍ଵସ୍ତି ହେଲେ ନଦୀ କୂଳିଆ ଅଧିବାସୀ ।
ବଂଶଧାରା ଜଳସ୍ତର ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର 82.59 ମିଟର ରହିଛି । ଗତ ତିନିଦିନ ଧରି ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର , ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଯୋଗୁଁ ବଂଶଧାରାର ଜଳସ୍ତର ବଢିଥିବା ବେଳେ ଆଜି ଉପରମୁଣ୍ଡରେ ମଧ୍ୟ ବର୍ଷା ହୋଇନାହିଁ । ସେହିଭଳି ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର କମିବାରେ ଲାଗିଛି । ବିଗତ ତିନି ଦିନ ଧରି ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଫଳରେ କେତେକ ସ୍ଥାନରେ ଘର ଭାଙ୍ଗି ଥିବାବେଳେ ଆଉ କେତେକ ସ୍ଥାନରେ ପାହାଡ଼ରୁ ମାଟି ଅତଡା ଧସିଥିଲେ ମଧ୍ୟ ମୃତାହତର କୌଣସି ଖବର ନାହିଁ ।