ରାୟଗଡା: ଆମ୍ବ ଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏବେ ଏକ ମାତ୍ର ଆମ୍ବ ହବ୍ କାର୍ଯ୍ୟକାରୀ ହୋଇପାରୁନି । ଫଳରେ କୋଟି କୋଟି ଟଙ୍କାରେ ନିର୍ମିତ ଯନ୍ତ୍ରାଶ ଏବେ ଖତ ଖାଉଛି । ଚାଷୀଙ୍କୁ ଅଧିକ ସ୍ୱାବଲମ୍ବି କରିବା ପାଇଁ ଭାକୁରୁଗୁଡା ଠାରେ ନିର୍ମିତ ଆମ୍ବ ହବ୍ ଏବେ ପ୍ରହସନ ପାଲଟିଛି । ଜିଲ୍ଲାରେ ଉତ୍ପାଦିତ ଆମ୍ବର ରକ୍ଷଣାବେକ୍ଷଣା ସାଙ୍ଗକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଆମ୍ବ ଚାଷୀଙ୍କ କାମରେ ଲାଗି ପାରୁନାହିଁ ।
୨୦୧୭ ରେ ଜିଲ୍ଲାର ଚାଷୀଙ୍କ ହିତ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ୨ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ଲୋକାର୍ପିତ କରାଯାଇଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ପାଣି ଓ ବିଦ୍ୟୁତ ବାବଦକୁ ୨୪ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଲକ୍ଷ୍ୟ ରହିଥିଲା ବିଶେଷକରି ବିଦେଶକୁ ରପ୍ତାନି ହେଉଥିବା କାଶୀପୁର ବ୍ଲକର ଆମ୍ବ ସାଙ୍ଗକୁ ସ୍ଥାନିୟ ଅଞ୍ଚଳର ଚାଷୀଙ୍କ ଆମ୍ବକୁ ଫୃଟ ଫ୍ଲାଇ ଭଳି ରୋଗ ଦାଉରୁ ରକ୍ଷା କରିବା ସାଙ୍ଗକୁ ଦୀର୍ଘଦିନ ଦେଶୀୟ ପଦ୍ଧତିରେ ସତେଜ ରଖିବା ।