ରାୟଗଡ଼ା: ଜିଲ୍ଲା ପଦ୍ମପୁର ବ୍ଲକ ସୀମାନ୍ତରେ ଏବେ ହାତୀ ଆତଙ୍କ ଦେଖାଦେଇଛି । 6 ଜଣିଆ ହାତୀପଲ ନାରାୟଣପୁର ଜଙ୍ଗଲରେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏହି ହାତୀ ପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଥିଲେ ମଧ୍ୟ ରାତି ହେଲେ ପାହାଡ଼ ଢ଼ାଲୁକୁ ଆସି ଆଦିବାସୀଙ୍କ ଏକର ଏକର ପାହାଡ଼ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।
ହରଡ଼, ଝୁଡଙ୍ଗ, କାଙ୍ଗୁ, ଖୋସଲା, ରାଶି, ଖମ୍ବଆଳୁ, କଦଳୀ ଭଳି ଚାଷ ଦଳି ଚକଟି ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ତାରାମାଳ ଗାଁର ମୋହନ ଚନ୍ଦ୍ର କଡ୍ରାକା । ଆଜକୁ ଏକ ମାସ ଧରି ଏହି ହାତୀପଲ ତାରାମାଳ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିଲେ ମଧ୍ୟ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ମୋହନ । ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତି ଠାରୁ ଦୂରେଇ ରଖିବା ପାଇଁ ଜଙ୍ଗଲ ବିଭାଗର ଜିଲ୍ଲାରେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ରହିଥିଲେ ସୁଦ୍ଧା ବାରମ୍ବାର ଅଭିଯୋଗ ସତ୍ତ୍ବେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ।