ଓଡିଶା

odisha

ETV Bharat / state

ଚାଷୀଙ୍କୁ ଘାରିଛି ମରୁଡି ଚିନ୍ତା, କୃଷି ବିଭାଗର ଚିନ୍ତା ଫସଲ ବୀମା

ଆକାଶରେ ଦେଖାଯାଉନି ଆଉ କଳାହାଣ୍ଡିଆ ମେଘ କି ଲାଗି ରହୁନି ଝିପିଝିପି ବର୍ଷା । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ରାୟଗଡା ଜିଲ୍ଳାରେ ମରୁଡିର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଚାଷୀକୂଳ ।

By

Published : Jul 27, 2019, 1:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ବର୍ଷାର ନାହିଁ ଖୋଜ ଖବର । ସେପଟେ ମୌସୁମୀକୁ ନେଇ ପାଣିପାଗ ବିଭାଗର ଆକଳନ ମଧ୍ୟ ଫେଲ ମାରିଲାଣି । ଏବେ ଚିନ୍ତା ଘାରିଛି ମରି ଯାଉଥିବା ଧାନ ତଳିକୁ ବଞ୍ଚାଇବେ କିପରି ? ତେଣେ ମୌସୁମୀର ଲୁଚକାଳି ଖେଳକୁ ଦେଖି ପ୍ରଶାସନ ମଧ୍ୟ ହାତ ଟେକି ଦେଲାଣି । ଚାଷୀଙ୍କ ଜମିକୁ ପାଣି ବଦଳରେ ଫସଲ ବୀମାକୁ ଗୁରୁତ୍ବ ଦେବାକୁ ଏବେ ଉପଦେଶ ଦେଉଛି ପ୍ରଶାସନ । ଜିଲ୍ଲାର ମରୁଡି ସ୍ଥିତିକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆକାଶରେ ଦେଖାଯାଉନି ଆଉ କଳା ହାଣ୍ଡିଆ ମେଘ କି ଲାଗି ରହୁନି ଝିପିଝିପି ବର୍ଷା । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ରାୟଗଡା ଜିଲ୍ଳାରେ ଗଜା ମରୁଡିର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ହତାଶ ହୋଇ ପଡିଛନ୍ତି ଚାଷୀକୂଳ । ଧାରା ଶ୍ରାବଣରେ ଏବେ ଆଉ ବେଙ୍ଗଙ୍କ କେଁ କଟର ରଡ଼ି ବି ଶୁଭା ଯାଉନାହିଁ । ଜିଲ୍ଳାରେ ହଜାର ହଜାର ହେକ୍ଟର ଜମି ଚାଷ ନ ହୋଇ ଗାଈଗୋରୁଙ୍କ ଚରାଭୂମି ପାଲଟିଛି ।

କେଉଁଠି ତଳିଘରା ସବୁ ପାଣି ଅଭାବରୁ ଫାଟି ଆଁ କଲାଣି ତ ପୁଣି କେଉଁଠି ତଳି ବୁଢ଼ା ହୋଇଗଲାଣି । ଏପଟେ ଚାଷୀ ଋଣ କରଜ କରି ଖରିଫ ଫସଲ ପାଇଁ ବିହନ ପକାଇ ସାର ସାଇତି ରଖିଥିବା ବେଳେ ବର୍ଷା ଅଭାବ ଯୋଗୁଁ ମରୁଡ଼ିର ଆସନ୍ନ ପଦଧ୍ବନିକୁ ନେଇ ଚିନ୍ତା ବଢିଛି ଚାଷୀକୂଳର ।

ସେହିପରି ଜିଲ୍ଳାରେ କ୍ଷୁଦ୍ର ଜଳସେଚନ ବିଭାଗରୁ ଛୋଟ ବଡ ଅନେକ ଆଡିବନ୍ଧ ରହିଥିଲେ ମଧ୍ୟ ବିଭାଗୀୟ ପରିଚାଳନା ଗତ ତ୍ରୁଟି ଯୋଗୁଁ ଡ୍ୟାମ ଗୁଡ଼ିକର କ୍ୟାଚମେଣ୍ଟ ଏରିଆ ଗୁଡ଼ିକ ପୋତି ହେବାକୁ ବସିଲାଣି । ଫଳରେ ବର୍ଷା ଅଭାବରୁ କୌଣସି ଗୋଟିଏ ଚେକଡ୍ୟାମରେ ପାଣି ଟୋପାଏ ନାହିଁ ।

ଚଳିତ ବର୍ଷ ଜିଲ୍ଳାରେ 1 ଲକ୍ଷ 74ହଜାର ହେକ୍ଟର ଚାଷଜମି ମଧ୍ୟରୁ 55 ହଜାର 477 ହେକ୍ଟରରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି କୃଷି ବିଭାଗ । ତେବେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା 60ପ୍ରତିଶତ କମ ବୃଷ୍ଟିପାତ ହୋଇଥିବା ବେଳେ ମାତ୍ର ଶତକଡ଼ା 9 ଭାଗ ଜମିରେ ରୁଆ କାର୍ଯ୍ୟ ସରିଛି । ତେଣେ ସମ୍ଭାବ୍ୟ ମରୁଡି ଆଶଙ୍କାକୁ ନେଇ ପର୍ଯ୍ୟାପ୍ତ ପରିମାଣର ବିହନ ଗଚ୍ଛିତ ରଖାଯିବା ସହ ଫସଲ ବୀମା ପାଇଁ ଚାଷୀଙ୍କୁ ସଚେତନ କରାଯାଉଥିବା ଜିଲ୍ଳା କୃଷି ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details