ରାୟଗଡା:ପ୍ରକୃତି ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷ ଜମିରେ ଉପୁଜିଛି ମରୁଡ଼ି ଆଶଙ୍କା । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ରାୟଗଡା ଜିଲ୍ଲାର ଚାଷୀ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନ ବିଲରେ ଏଯାଏଁ ଆଶାନୁରୂପ ରୁଆ ବେଉଷଣା ହୋଇପାରିନାହିଁ । ଆଷାଢ ଯାଇ ଶ୍ରାବଣ ମଝି ହେବାକୁ ବସିଥିଲେ ବି ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା ଦିନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ଅଣଜଳସେଚିତ ଚାଷ ଜମି ଫାଟି ଆଁ କରିଥିବାବେଳେ ଧାନ ଗଛ ଶଳିତା ଭଳି ସୁଖି ଗଲାଣି । ଚଳିତ ବର୍ଷ ୭୫ ପ୍ରତିଶତ କମ୍ ବର୍ଷା ହେବା ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ଠପ୍ ହୋଇଯାଇଛି ।
ସେପଟେ କୃଷୀ ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ସାହୁକାରଙ୍କଠୁ ଋଣ ଆଣି ଏ ବର୍ଷ ଚାଷ କରି ଭଲ ଫସଲ ଅମଳ ଆଶା ପାଣିର ଗାର ପାଲଟିବାକୁ ବସିଛି । ତେବେ ଆସନ୍ତା ଦୁଇଦିନ ମଧ୍ୟରେ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଫଳରେ ଖରିଫ ଚାଷ ପାଇଁ ପାଗ ଆଗକୁ ଅନୁକୂଳ ଆଶା ରହିଛି । ହେଲେ ଚଳିତ ଥର ଆବଶ୍ୟକ ପରିମାଣରେ ବର୍ଷା ଅଭାବ ଯୋଗୁଁ ଜିଲ୍ଲାରେ ପାଖାପାଖି ୨୦ ହଜାର ହେକ୍ଟର ଧାନ ଜମିରେ ରୁଆ କାମ ବାଧାପ୍ରାପ୍ତ ହୋଇଛି ।
ଜୁନ ମାସରେ ବର୍ଷା ପରିମାଣ ୧୯୫.୩ ମିଲିମିଟର ଥିବାବେଳେ ଚଳିତ ବର୍ଷ ରାୟଗଡ଼ାରେ ହୋଇଛି ମାତ୍ର ୪୯.୦ ମିଲିମିଟର ବର୍ଷା । ସେହିଭଳି ଜୁଲାଇ ମାସରେ ହାରାହାରି ବର୍ଷାର ପରିମାଣ ୧୨ ତାରିଖ ସୁଦ୍ଧା ୧୨୦ ମିଲିମିଟର ଥିବାବେଳେ ଏହି ସମୟରେ ରାୟଗଡ଼ା ଜିଲ୍ଲାରେ ହୋଇଛି ମାତ୍ର ୪୦ ମିଲିମିଟର ବର୍ଷା । ତେବେ ବର୍ଷା ପରିମାଣ ଏତେ କମ୍ ହୋଇଥିବାରୁ ଚଳିତ ବର୍ଷ ଅନେକ ସ୍ଥାନରେ ଧାନ ଗଜା ମରୁଡି ହେବାର ଆଶଙ୍କା ଦେଖା ଦେଇଛି ।