ରାୟଗଡା:ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉନ୍ନତମାନର ଶିକ୍ଷା ପାଇଁ 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ ଦାୟିତ୍ବ ଏକ ଘରୋଇ ଠିକା ସଂସ୍ଥାକୁ ଦେଇଥିଲେ ସରକାର । ଦୁର୍ଗମ ଇଲାକାର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ 'ହିନ୍ଦୁସ୍ତାନ ଷ୍ଟିଲ ଆଣ୍ଡ କନଷ୍ଟ୍ରକ୍ସନ' କମ୍ପାନୀକୁ ହଷ୍ଟେଲ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା । ଏଥିପାଇଁ ଟେଣ୍ଡର ସରିଥିବାବେଳେ 2016 ମସିହାରୁ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଛି । ହେଲେ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଶେଷ ହୋଇପାରିନି ହଷ୍ଟେଲ ନିର୍ମାଣ । ତେବେ ଦାୟିତ୍ୱରେ ରହିଥିବା ଠିକା ସଂସ୍ଥାର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ହଷ୍ଟେଲଗୁଡିକ ବର୍ଷବର୍ଷ ଧରି ମଙ୍ଗଳ ବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ । ଶେଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ରାୟଗଡ଼ା ଥାନାରେ ମାମଲା ପହଞ୍ଚିଛି ।
ଏନେଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ 'ହିନ୍ଦୁସ୍ତାନ ଷ୍ଟିଲ୍ ଆଣ୍ଡ କନଷ୍ଟ୍ରକ୍ସନ' କମ୍ପାନୀ ବିରୁଦ୍ଧରେ ରାୟଗଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ 2016-2017 ଆର୍ଥିକ ବର୍ଷରେ 23ଟି ହଷ୍ଟେଲ ନିର୍ମାଣ ପାଇଁ ଏହି କମ୍ପାନୀ ସହିତ ଚୁକ୍ତି ହୋଇଥିଲା । କିନ୍ତୁ ଆଜକୁ 7 ବର୍ଷ ବିତିଯାଇଥିଲେ ସୁଦ୍ଧା 23ଟି ହଷ୍ଟେଲରୁ ମାତ୍ର ଗୋଟିଏ ହଷ୍ଟେଲ୍ ଜିଲ୍ଲା ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଛି କମ୍ପାନୀ । ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅବଶିଷ୍ଟ ହଷ୍ଟେଲ ଗୃହ ନିର୍ମାଣ ସମ୍ଭବ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ ଶିକ୍ଷାସୌଧ ଓ ୨୮ ଛାତ୍ରାବାସ ଉଦଘାଟିତ