ରାୟଗଡ଼ା:ପୁଣି ରାୟଗଡା ସହରରେ ଏକ ହତ୍ୟାକାଣ୍ଡ ଘଟିଛି । ସହର ଉପକଣ୍ଠ ସାଇପ୍ରିୟା ନଗର ଦଶମ ଲେନରେ ଜଣେ ଢାବା ରୋଷେୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଲେ ବିନୟ କୁମାର ପାଳ (୩୩) । ତାଙ୍କ ଘର ଗୁଣପୁର ବ୍ଲକ ଭୀମପୁର ଗ୍ରାମରେ ବୋଲି ଜଣାପଡିଛି । ଗତକାଲି ରାତିରେ କେହି ଲୁହା ଛଡରେ ଆକ୍ରମଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସବୁଦିନ ଭଳି ଗତକାଲି(ବୁଧବାର) ରାତିରେ ବିନୟ ନିଜେ କାମ କରୁଥିବା ଢାବାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏକ ଲୁହା ଛଡରେ ଆକ୍ରମଣ କରି ତାଙ୍କର ହତ୍ୟା କରାଯାଇଥିଲା । ଆଜି ସକାଳୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ କିଏ କାହିଁକି ଏହି ହତ୍ୟାକାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନାହିଁ ।
ଠିକ ସେହିଭଳି ଗତକାଲି ମଧ୍ୟ ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ସନ୍ଧ୍ୟା ସମୟରେ ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି । ଗତକାଲି ସେ ନିଜ ଆଶ୍ରମକୁ ଫେରୁଥିଲେ ବେଳେ କିଛି ଅସାମାଜିକ ବ୍ୟକ୍ତି କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଉପରେ ତାଙ୍କ ଗାଡିକୁ ଅଟକାଇ ଅଭଦ୍ର ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରୁ ନିବୃତ ରହିବାକୁ ସ୍ୱରୁପାନନ୍ଦ ସେମାନଙ୍କୁ ବୁଝାଇ ଥିଲେ ।