ରାୟଗଡ଼ା: କାଶୀପୁର ବ୍ଲକ୍ରେ ହଇଜା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ମଙ୍ଗଳବାର ଏଠାରେ ଆଉ ୩୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି । ସେଥିମଧ୍ୟରୁ ୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ ପକ୍ଷରୁ ହଇଜା ସଂକ୍ରମଣ ପାଇଁ ସମସ୍ତ ସମ୍ଭବ ଚେଷ୍ଟା ଜାରି ରହିଛି ।
ହଇଜା ପ୍ରଭାବିତ ଗ୍ରାମଗୁଡ଼ିକରେ ସମସ୍ତ ଜଳ ଉତ୍ସ ବନ୍ଦ ରହିଛି । ଏହି ସବୁ ଗ୍ରାମରେ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସେହିଭଳି ସାହିର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଇ ବିଶୋଧନ କରାଯାଉଛି । ଟିକିରିରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଲୋକଙ୍କୁ ଭ୍ରାମ୍ୟମାଣ RO ବିଶୋଧିତ ବିଶୁଦ୍ଧ ପାନୀୟ ଜଳ ପ୍ୟାକେଟ୍ ବଣ୍ଟନ କରାଯାଉଛି । ମେଡିକାଲ ଟିମ୍ ଘରକୁ ଘର ବୁଲି ହାଲୋଜେନ୍ ବଟିକା ବିତରଣ କରୁଛନ୍ତି । ଏହାକୁ ପାଣିରେ ମିଶାଇ ପିଇବାକୁ ପରାମର୍ଶ ଦେବା ସହ ଗରମ ଖାଦ୍ୟ ଖାଇବାକୁ କୁହାଯାଉଛି ।
ଟିକିରି, ଡୁଡୁକାବାହାଲ, କାଶୀପୁର, ପଞ୍ଚାଳି, ଶଙ୍କରଡା, ପୋଡାପାଡି, କାକୁଡିପଦର, ଗୋବିରିଘାଟି ଆଦି ଗ୍ରାମ ହଇଜା ସଂକ୍ରମିତ । ଏହି ସବୁ ଗ୍ରାମରେ ଗାଁ ସାଥିଙ୍କ ଟିମ୍ ଗଠନ କରାଯାଇ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ୬ଟି ଟିମ୍ ଗଠନ କରି ଜଳ ବିଶୋଧନ କାର୍ଯ୍ୟ କରୁଛି । କାଶୀପୁର ବଭିନ୍ନ ହସ୍ପିଟାଲ୍ରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ୨୦ ଜଣଙ୍କ ଉପରେ ନଜର ରଖିଛନ୍ତି ଡାକ୍ତରୀ ଦଳ ।