ରାୟଗଡା: ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଚଇତି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।‘ ଚଇତି’ ଆସନ୍ତା ଡିସେମ୍ବର ମାସ ୨୬ ତାରିଖରେ ଉଦଘାଟନ ହୋଇ ୫ ଦିନ ଧରି ଚାଲିବା ନେଇ ସ୍ଥିର ହୋଇଛି । ଏନେଇ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ଏଭଳି ନିଷ୍ପତି ଚୂଡାନ୍ତ ହୋଇଛି ।
ଜିଲ୍ଲାପାଳ ପ୍ରମୋଦ କୁମାର ବେହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।
ଜିଲ୍ଲା ସ୍ତରୀୟ ଲୋକମହେତ୍ସବ 'ଚଇତି' ପାଇଁ ସଜବାଜ ହଜିଯାଇଥିବା ଆଦିବାସୀ ପରମ୍ପରାକୁ ପୁଣି ଥରେ ଉଜ୍ଜିବୀତ କରିବା ଚଇତି ମହୋତ୍ସବର ମୂଳ ଲକ୍ଷ୍ୟ । ଗ୍ରାମାଞ୍ଚଳରେ ଲୁକାୟିତ ପ୍ରତିଭାଙ୍କୁ ଚଇତି ମାଧ୍ୟମରେ ଜିଲ୍ଲା ତଥା ରାଜ୍ୟ ସ୍ତରକୁ ଆଣିବା ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ପ୍ରତିବର୍ଷ ଭଳି ଚଳିତ ଥର ଚଇତି ମହୋତ୍ସବ ଜିସିଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଆୟୋଜିତ ହେବା ନେଇ ବୈଠକରେ ନିଷ୍ପତି ହୋଇଛି । ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ଜିଲ୍ଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଅନ୍ୟ ପ୍ରମୁଖ ସଂଗଠନ କର୍ମକର୍ତ୍ତା ଏହି କମିଟିରେ ସଦସ୍ୟ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ