ରାୟଗଡା:ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଲୋକ ମହୋତ୍ସବ ଚଇତି ପର୍ବ । ବୁଧବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଚଇତି ମହୋତ୍ସବ ଉଦଘାଟିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରୁ ଆଜ୍ଞା ମାଳ, ମଶାଲ ଓ କଳସ ସହ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶୋଭାଯାତ୍ରରେ ଆଣି ଚଇତି ମଣ୍ଡପରେ ସ୍ଥାପନ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ଗୃପ ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ମରଣିକା ଚଇତାଳି ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ କଳା ଓ ସଂସ୍କୃତି ପାଇଁ ଏହି ମଞ୍ଚ ବେଶ ସହାୟକ ହେଉଛି ବୋଲି କହିଥିଲେ । ସେହିଭଳି ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯାଇଛି । ଏହି ମେଳା ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିଜର ସାମଗ୍ରୀ ବିକ୍ରି ଓ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ପାଉଥିବା କହିଛନ୍ତି ।
ସ୍ଥାନୀୟ ଜିସିଡି ପଡ଼ିଆରେ ଚଇତି ଆରମ୍ଭ ପୂର୍ବରୁ ଏକ କଳସ ଯାତ୍ରା ମଝିଘରିଆଣୀ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଚଇତି ପଡିଆରେ ପହଞ୍ଚିଥିଲା । ଏହାପରେ ଉକ୍ତ କଳସକୁ ଚଇତି ମଣ୍ଡପରେ ସ୍ଥାପନା କରାଯାଇଥିଲା । ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିସହ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା ।