ରାୟଗଡା:ସହରରେ ପୁଣି ସଚଳ ହେଲା ସିସିଟିଭି । ସହରବାସୀଙ୍କ ସୁରକ୍ଷା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ସିସିଟିଭି । ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ହେଲା ନୂଆ ଯୋଜନା ଫାଇଲ୍ ଭିତରୁ ମୁଣ୍ଡ ଟେକି ପାରୁନଥିଲା । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମାଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡକୁ ସିସିଟିଭି ନଜରରେ ରଖିବା ପାଇଁ ପୋଲିସ୍ ଥାନା ପରିସରରେ ଏକ ନୂଆ କଣ୍ଟ୍ରୋଲ ରୁମ ନିର୍ମାଣ ହୋଇଛି ।
ଏହି କଣ୍ଟ୍ରୋଲ ରୁମକୁ ମଙ୍ଗଳବାର ଦିନ ଉଦଘାଟନ କରାଯାଇଥିଲା । ଏହି ସମୟରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା , ସାଂସଦ ସପ୍ତଗିରି ଶଙ୍କର ଉଲକା, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଅନୁସୟା ମାଝି, ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ସାମିଲ ହୋଇଥିଲେ । ଜନଗହଳିପୂର୍ଣ୍ଣ ସ୍ଥାନ ଦୈନିକ ବଜାର, ରାଜପଥ, ବାଇପାସ୍ ରୋଡ୍ ଏବଂ ସମସ୍ତ ୱାର୍ଡକୁ ଦୁଇ ଭାଗରେ ବିଭକ୍ତ କରି ୩୧ଟି ସ୍ଥାନରେ ୧୦୭ଟି ସିସିଟିଭି ଲଗାଯାଇଛି । ଫଳରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ୮ ଟି ପାୱାର କ୍ୟାମେରା ଲଗାଯାଇଛି ।