ରାୟଗଡା: ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା ରୋଗର କାରଣ ଓ ନିରାକରଣ ସଚେତନତା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି । ହେଲେ ରାୟଗଡାରେ ଏହାର ବିପରୀତ ଅବସ୍ଥା ଦୃଶ୍ୟମାନ ହେଉଛି । ଦିନକୁ ଦିନ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବଢି ଚାଲୁଥିବା ବେଳେ କର୍କଟ ରୋଗ ସଚେତନତା ବାର୍ତ୍ତା ହସ୍ପିଟାଲର ଚାରିକାନ୍ଥ ଭିତରେ ସୀମିତ ରହିଯାଉଛି ।
ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାଁନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ଖର୍ଚ୍ଚାନ୍ତ ହେବା ସହ କଟକ କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଯିବାକୁ ବାଧ୍ୟ ହେଊଛନ୍ତି । ଏପରିକି କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଓ ଔଷଧ ପାଇବା ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ।
ଚାରି କାନ୍ଥବାଡ ଭିତରେ ସୀମିତ ରହିଯାଉଛି କର୍କଟ ସଚେତନତା ଜିଲ୍ଲାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଅନୁଯାୟୀ ଗତ ଏକବର୍ଷ ମଧ୍ୟରେ ଜିଲ୍ଲାରେ ୯୨୫ ଜଣଙ୍କୁ ମୁଖଗହ୍ବର କର୍କଟ ହୋଇଥିବାବେଳେ, ୨୦୮ ଜଣଙ୍କୁ ସ୍ତନକର୍କଟ, ୯୬ ଜଣ ଜରାୟୁ କର୍କଟ ରୋଗୀଙ୍କୁ ସ୍କ୍ରିନିଂ କରାଯାଇ ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ କ୍ରମବର୍ଦ୍ଧିଷ୍ଣୁ କର୍କଟ ରୋଗକୁ ଦେଖି କିନ୍ତୁ ସୃଷ୍ଟି କରାଯାଉ ନାହିଁ ସଚେତନା।
କେବଳ ହାତଗଣତି ହସ୍ପିଟାଲ ନର୍ସ ଓ କର୍ମଚାରୀଙ୍କୁ ମିଟିଂରେ ସୀମିତ ରହି ଯାଉଛି ସଚେତନତା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଦୋକାନରେ ମାଳମାଳ ଗୁଟ୍ଖା ସିଗାରେଟ୍ ଝୁଲୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ୟାନ୍ସର ଚିକିତ୍ସା ଠିକ୍ ଚାଲୁଥିବା ବେଳେ ଶିଳ୍ପାଞ୍ଚଳ ଯୋଗୁଁ ଏଠାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା କହିଛନ୍ତି ସିଡିଏମ୍ଓ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ