ରାୟଗଡା:ଗୁଣପୁର ପୌର ପରିଷଦରେ ଦୁର୍ନୀତି । ଏନେଇ ଗତକାଲି ଗୁଣପୁର ବିଜୁ ଜନତା ଦଳର କାଉନସିଲରଙ୍କ ସହ ଶତାଧିକ ପୁରୁଷ ଏବଂ ମହିଳା ପ୍ରଥମେ ଗୁଣପୁର ପୌର ପରିଷଦ ଏବଂ ପରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଗୁଣପୁର ପୌର ପରିଷଦର ମହା ଦୁର୍ନୀତି ଉପରେ ଆଠ ଦଫା ଦାବିପତ୍ର ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଗୁଣପୁର ଉପଜିଲ୍ଲାପାଳ ଏବଂ ପୌର ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିଲେ । ଲୋକେ ସାମାନ୍ୟ ସୁବିଧା ପାଉ ନ ଥିବା ଏବଂ ବିଭିନ୍ନ ଉନ୍ନୟନ ଯୋଜନାରେ ଯେଉଁ ଭଳି ପୌର ଦମ୍ପତି କାଉନସିଲରଙ୍କ ପରାମର୍ଶ ନ ନେଇ ମନୋମୁଖୀ କାମ କରୁଛନ୍ତି ତା ଉପରେ ଖୋଲା ଚେତାବନୀ ଦେଇଛନ୍ତି ବିଜୁ ଜନତା ଦଳର ନେତୃବର୍ଗ ।
ଅନ୍ୟପଟେ ମୋଟା ଅଙ୍କରେ ପିସି ନ ଦେଲେ ବିଲ୍ କରାଯାଉନି । ପୌରସଂସ୍ଥାର ବିଭିନ୍ନ ବିଭାଗୀୟ କାମ, ଲାଇଟକ୍ରୟ, ସଫେଇ କାମ, ପାର୍କ ପାଇଁ ସାମଗ୍ରୀକ୍ରୟ ଇତ୍ୟାଦି କୋଟି କୋଟି ସରକାରୀ ଟଙ୍କା ଏହି ଦମ୍ପତ୍ତି ହରିଲୁଟ କରୁଥିବା ଓ ସମ ପରିମାଣରେ ନିଜ ହାତ ମୁଠାରେ ପଞ୍ଚାୟତ ସମିତି ରଖିଥିବା ସେଠାରେ ମଧ୍ୟ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ରାଜନୈତିକ ଆକ୍ରୋଶ ରଖି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ବିଜେଡିର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଗତ କିଛି ମାସ ତଳେ ଗୁଣପୁର ପୌରସଂସ୍ଥା ଓ ପଞ୍ଚାୟତ ସମିତି ସ୍ୱାଧୀନ ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଏପରିକି ପୌରସଂସ୍ଥାର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସ୍ୱାମୀ,ସ୍ତ୍ରୀ ହାତରେ ରହିଛି । ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ ପୌରସଂସ୍ଥା ଓ ବ୍ଲକ ପରିଚାଳନା କରୁଥିବା ନେଇ ସର୍ବଦା ଚର୍ଚ୍ଚା ହୋଇ ଆସୁଛି ।
ସେପଟେ ବିଜେଡି ପରାଜୟବରଣ କରିବା ପରେ ଉପାଧ୍ୟକ୍ଷ ଟେଣ୍ଡର ମାଧ୍ୟମରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ରାଜନୈତିକ ଆକ୍ରୋଶ ରଖି ହଇରାଣ କରାଯାଉଛି । ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ସରକାର କନିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିବା ବେଳେ ଉପାଧ୍ୟକ୍ଷ ଉନ୍ନୟନମୂଳକ କାମକୁ ଯାଇ ମାଟି,ବାଲି,ସିମେଣ୍ଟ, ଲୁହା ନେଇ ତଦାରଖ କରୁଛନ୍ତି ବୋଲି ବିଜେଡି ଏବେ ପ୍ରଶ୍ନ କରିଛି । ସେହିଭଳି ବିଲ୍ ହେବାସମୟରେ ପ୍ରତି କାମରେ ଲାଞ୍ଚ ବାବାଦରେ ୫ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ଏହା ସହ ଶତକଡା ୨୨ ପ୍ରତିଶତ ପିସି ଠିକାଦାରଙ୍କ ଠାରୁ ଜବରଦସ୍ତ ଆଦାୟ କରାଯାଉଛି । ଯେଉଁ ଠିକାଦାର ଏହି ହୁକୁମକୁ ନ ମାନେ ତାକୁ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଥିବା ନେଇ କାଉନସିଲର ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।