CM Naveen Puri Visit: ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୁରୀ:ରବିବାର ପୁରୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen's Puri Visit)ଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ (Youth congress protest in Puri) । ପୁରୀ ସହର ବିକାଶ ନାମରେ ପୁରୀ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା ଅଭିଯୋଗ ନେଇ ପୁରୀ VIP ରୋଡ୍ରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଏହି ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଛାତ୍ର ଓ ଯୁବ କଂଗ୍ରେସକୁ ଅଟକ ରଖିଛି ।
ସଙ୍ଗଠନ ଅଭିଯୋଗ କରିଛି ପୁରୀବାସୀଙ୍କ ମୌଳିକ ସୁବିଧା ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପୁରୀ ମୁଖ୍ୟ ମେଡିକାଲରେ ଆବଶ୍ୟକ ମୁତାବକ ଡାକ୍ତର ନଥିବାରୁ ଅତି ଛୋଟ ଚିକିତ୍ସା ପାଇଁ ଲୋକଙ୍କୁ କଟକ ଯିବାକୁ ପଡୁଛି । ଫଳରେ ଗରିବ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଭଲ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ସେହିପରି ସ୍କୁଲ, କଲେଜ ଶିକ୍ଷକ, ଅଧ୍ୟାପକ ନଥିବାରୁ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଭଲ ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଛୋଟ କୋମଳମତି ପିଲାମାନେ ଖୋଲା ସ୍ଥାନରେ ବସି ପାଠ ପଢୁଛନ୍ତି ।
ଏହା ବି ପଢନ୍ତୁ- ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତୀ, ଶାଢୀରେ ଆଙ୍କିଲେ ହକି ବିଶ୍ବକପ ଟ୍ରଫି
ଖାଲି ସେତିକି ନୁହେଁ ଛୋଟ ପିଲାଙ୍କୁ ନିମ୍ନମାନର ଛତୁଆ ଯୋଗାଇ ଦିଆଯାଇ ସହ ଗର୍ଭବତୀଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଉଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ ଥିବାବେଳେ ଏହାର ସୁରକ୍ଷା ଓ ମରାମତି ଦିଗରେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ଏହି ସମସ୍ୟାକୁ ନେଇ ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ଗସ୍ତରେ ବ୍ୟାଘାତ ସୃଷ୍ଟି କରିବାକୁ ପୁରୀ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଅଧା ବାଟରୁ ଅଟକାଇଥିଲା । ଯାହାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି । ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଜିଲ୍ଲା ଉପ ସଭାପତି ରିଶାନ ଦାଶ, ସାହିଲ ମହାନ୍ତି, ଜଗଦୀଶ ରାଉତ, ବିଶ୍ବଜିତ ସ୍ବାଇଁ, ଲକ୍ଷ୍ମୀଧର ସେଠି, ରାକେଶ ପ୍ରଧାନ, ବିଶ୍ବଜିତ ଦଳେଇଙ୍କ ସହ ଅନ୍ୟ ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇନେଇ ପୋଲିସ ବ୍ୟାରେକରେ ଅଟକ ରଖିଛି ।
ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଓ଼ଡ଼ିଶା ଆଗମନକୁ ୧୦୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ତାଳବଣିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀ ଯୋଗଦେଇଛନ୍ତି ।
ଇଟିଭି ଭାରତ, ପୁରୀ